ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରେ କଡ଼ା ସୁରକ୍ଷା! ଡ୍ରୋନ, ସିସିଟିଭି ସହ ବ୍ୟାପକ ବ୍ୟବସ୍ଥା…
ସମ୍ବଲପୁର, 14|4 : ସମ୍ବଲପୁରରେ ଆଜି ପାଳିତ ହେଉଥିବା ହନୁମାନ ଜୟନ୍ତୀକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଉତ୍ସବ ପାଳନ ପାଇଁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିଛି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଶାଳ ଶୋଭାଯାତ୍ରା ଆୟୋଜିତ ହେବ । ଶୋଭାଯାତ୍ରା ପୂର୍ବରୁ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗ୍ ମାର୍ଚ୍ଚ କରି ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରିବ ।
ସୁରକ୍ଷା ପାଇଁ ସହରରେ ୫୨ ପ୍ଲାଟୁନ ପୋଲିସ ଓ ୧୮୦ରୁ ଅଧିକ ଅଫିସର ମୁତୟନ କରାଯାଇଛନ୍ତି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କଡ଼ା ଯାଞ୍ଚ ବ୍ୟବସ୍ଥା ରହିଛି ଓ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ଆଉଟପୋଷ୍ଟ ସ୍ଥାପନ କରାଯାଇଛି । ଏହାସହିତ ସହରରେ ଡ୍ରୋନ ଓ ସିସିଟିଭି କ୍ୟାମେରା ମାଧ୍ୟମରେ ନଜର ବଢ଼ାଯାଇଛି । ଭିଡ଼ ଅଞ୍ଚଳଗୁଡ଼ିକରେ ବିଶେଷ ଫୋର୍ସ ନିଯୁକ୍ତ କରାଯାଇଛି ।
ସମ୍ବଲପୁର ଏସ୍ ପି ଲୋକମାନଙ୍କୁ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରି ଉତ୍ସବରେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି । ପୋଲିସ ପକ୍ଷରୁ କୁହାଯାଇଛି ଯେ, ସମସ୍ତଙ୍କ ସହଯୋଗରେ ଉତ୍ସବକୁ ସୁସ୍ଥ ଓ ସୁରକ୍ଷିତ ଭାବେ ପାଳନ କରାଯିବ । ଏହି ବର୍ଷ ହନୁମାନ ଜୟନ୍ତୀରେ ବଡ଼ ପରିମାଣରେ ଭକ୍ତମାନଙ୍କ ଭିଡ଼ ହେବାର ସମ୍ଭାବନା ଥିବାରୁ ପ୍ରଶାସନ ପୂର୍ବରୁ ସତର୍କ ହୋଇ ବ୍ୟାପକ ପଦକ୍ଷେପ ନେଇଛନ୍ତି ।

