ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶହେରୁ ଅଧିକ ଛାତ୍ର ଛାତ୍ରୀଙ୍କ ଅବସ୍ଥା ଗୁରୁତର; ଜଣେ ମୃତ
ମୟୂରଭଞ୍ଜ, ୧୪|୪ : ଆଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ଶହେରୁ ଅଧିକ ଛାତ୍ର ଛାତ୍ରୀ ଝାଡ଼ା ବାନ୍ତି ଓ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି | ଏହାପରେ ଆକ୍ରାନ୍ତ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏକ ଛାତ୍ରୀଙ୍କର ମୃତ୍ୟୁ ହୋଇଛି | ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରିପଦା ଛାତ୍ରୀ ରୂପାଲି ବେଶ୍ରାଙ୍କର ମୃତ୍ୟୁ ହୋଇଛି। ସେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିଲେ। ସୂଚନା ଅନୁସାରେ, ଗତ ରବିବାର ମୟୂରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ବ୍ଲକ୍ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ସମସ୍ତ ଛାତ୍ର ଛାତ୍ରୀ ଖାଦ୍ୟରେ ବାସି ପଖାଳ ଓ ଆଳୁ ଟଟଣି ଖାଇଥିଲେ | ଆଉ ଖାଇବା ପରେ ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ।
ଏହାପରେ ଅସୁସ୍ଥ ହୋଇପଡିଥିବା ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ରସଗୋବିନ୍ଦପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ପରେ ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ହେବାରୁ ଗତକାଲି ସନ୍ଧ୍ୟାରେ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆକ୍ରାନ୍ତଙ୍କ ମଧ୍ୟରେ ରୂପାଲିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ରୂପାଲିର ମୃତ୍ୟୁ ହୋଇଛି ।

