୨୦ରୁ ତେଲାପଲ୍ଲୀରେ ପଞ୍ଚଦିନିଆ ମା ମାଳୁଆଣିଙ୍କ ପ୍ରତିଷ୍ଠା ଉତ୍ସବ
ଗଞ୍ଜାମ, ୧୬|୪ : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୂଳିଙ୍ଗି ଗ୍ରାମ ପଞ୍ଚାୟତର ତେଲାପଲ୍ଲୀ ଗ୍ରାମରେ ପ୍ରାଚୀନ କାଳରୁ ଗ୍ରାମର ଶେଷ ଅଞ୍ଚଳରେ ପୂଜା ପାଉଥିବା ଗ୍ରାମଦେବୀ ମା ମାଳୁଆଣିଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଅଗାଧ ଭକ୍ତି ଓ ବିଶ୍ୱାସ ଦେଖିବାକୁ ମିଳେ । ପଥରରେ ସିନ୍ଦୂର ଲାଗାଇ, ମାଟିର ଘୋଡା, ଶଂଖା ଓ ଶାଢ଼ୀରେ ସଜାଇ ପ୍ରତୀକାତ୍ମକ ଭାବେ ଦେବୀଙ୍କ ପୂଜା ହୋଇଆସୁଛି । ମା ମାଳୁଆଣି, ବୁଢ଼ୀ ଠାକୁରାଣୀ, ନେଲା ଆମ୍ମା ଓ ଚଞ୍ଚଳା ଆମ୍ମା ଭାବେ ଗ୍ରାମଦେବୀ ରୂପରେ ପୂଜିତ ଏହି ଶକ୍ତିପୀଠ ତେଲାପଲ୍ଲୀର ଅଧିଷ୍ଠାତ୍ରୀ ଦେବୀ ଭାବେ ପରିଚିତ । ଗ୍ରାମରେ ବିବାହ, ବ୍ରତ ଆଦି ସମସ୍ତ ଶୁଭ କାର୍ଯ୍ୟ ପୂର୍ବରୁ ମାଙ୍କୁ ସ୍ମରଣ କରିବା ପ୍ରଥା ରହିଛି । ମାଙ୍କୁ ପ୍ରତ୍ୟକ୍ଷ ଠାକୁରାଣୀ ଭାବେ ମାନି ଗ୍ରାମବାସୀ ତାଙ୍କର ଅସୀମ କୃପା ଓ ରକ୍ଷାରେ ଆସ୍ଥା ରଖନ୍ତି।
ଏହି ପବିତ୍ର ଅବସରରେ ମା ମାଳୁଆଣିଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅବସରରେ ଗ୍ରାମରେ ଆନନ୍ଦର ମହଳ ସୃଷ୍ଟି ହୋଇଛି । ଗଞ୍ଜାମର ପରିଚିତ ମଞ୍ଚ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଶ୍ରୀ ଚି. ରାଜୀବ ଲୋଚନ ରେଡ୍ଡୀଙ୍କ ଜନ୍ମଭୂମି ତେଲାପଲ୍ଲୀ, ଏହି ଉତ୍ସବ ପାଇଁ ଚଞ୍ଚଳ ହୋଇଉଠିଛି । ଆସନ୍ତା ୨୦ ଏପ୍ରିଲ ୨୦୨୬ ରୁ ୨୪ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ପଞ୍ଚଦିନ ବ୍ୟାପୀ ଏହି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏହି ଅବଧିରେ ଘୃତ ଯଜ୍ଞ, ଅର୍ଣ୍ଣ ଯଜ୍ଞ, ନାମ ଯଜ୍ଞ ଓ ଜ୍ଞାନ ଯଜ୍ଞ ପରି ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ହେବ । ଏହି ମହୋତ୍ସବରେ ମୁଖ୍ୟ ପଣ୍ଡିତ ସରୋଜ କୁମାର ଶତପଥୀ, ପୁରୋହିତ କାଳୁଚରଣ ରଥ, ମହନ୍ତ ଶ୍ରୀ ସନାତନ ଦାସ ଜୀ ମହାରାଜ ଓ ବାବାଜୀ ଶ୍ରୀ ନାରାୟଣ ଦାସ ଜୀ ମହାରାଜ ଯୋଗଦାନ କରିବେ । ଗ୍ରାମବାସୀମାନେ ସହପରିବାର ସହ ଏହି ଧାର୍ମିକ ଉତ୍ସବରେ ଯୋଗଦେଇ ମାଙ୍କର କୃପାଲାଭ କରିବାକୁ ଅନୁରୋଧ କରିଛନ୍ତି ।

