ପ୍ରେମ ପାଇଁ ଶେଷରେ ଚୋରି କଲେ ପ୍ରେମିକା : ଗିଫ୍ଟ କଲେ ଦାମୀ ଘଣ୍ଟା
ହାଇଦ୍ରାବାଦ, ୧୬|୪ : ହାଇଦ୍ରାବାଦରେ ଏକ ଅଜବ ଚୋରି ଘଟଣା ସାମ୍ନାକୁ ଆସିଛି । ପ୍ରେମିକଙ୍କୁ ଜନ୍ମଦିନରେ ଦାମି ଉପହାର ଦେବା ପାଇଁ ଜଣେ ଯୁବତୀ ଘଡ଼ି ଚୋରି କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି ।ପୋଲିସର ସୂଚନା ଅନୁସାରେ, ୨୬ ବର୍ଷୀୟ ଏହି ଯୁବତୀ ଖମ୍ମମ ଅଞ୍ଚଳର ବାସିନ୍ଦା ଏବଂ ହାଇଦ୍ରାବାଦରେ ଏକ ବେସରକାରୀ କମ୍ପାନୀରେ କାମ କରୁଥିଲେ । ପ୍ରେମିକଙ୍କ ଜନ୍ମଦିନ ଉପଲକ୍ଷେ ଦାମି ଘଡ଼ି କିଣିବା ନାମରେ ସେ ଏକ ଶୋରୁମକୁ ପ୍ରବେଶ କରିଥିଲେ । ସେଠାରେ କର୍ମଚାରୀଙ୍କୁ ବିଭିନ୍ନ ଘଡ଼ି ଦେଖାଇବାକୁ କହି, ସୁଯୋଗ ଦେଖି ଦୁଇଟି ମହଙ୍ଗା ଘଡ଼ି ଚୁପଚାପ ନିଜ ବ୍ୟାଗରେ ରଖି ଦେଇଥିଲେ । ପରେ ଘଡ଼ିଗୁଡ଼ିକ ଭଲ ଲାଗିଲା ନାହିଁ ବୋଲି କହି ସେ ଶୋରୁମ ଛାଡ଼ି ଚାଲିଯାଇଥିଲେ ।
ପରେ କର୍ମଚାରୀମାନେ ଘଡ଼ି ନଥିବା ଦେଖି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ, ଯେଉଁଥିରେ ଯୁବତୀଙ୍କ ଚୋରି କାଣ୍ଡ ଧରାପଡ଼ିଥିଲା । ଏହା ପରେ ପୋଲିସ ଗାଡ଼ି ନମ୍ବର ଆଧାରରେ ତାଙ୍କୁ ଚିହ୍ନଟ କରି ଗିରଫ କରିଥିଲେ । ଏହି ଘଟଣାରେ ପୋଲିସ ପ୍ରେମିକଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି । ଘଟଣାଟି ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

