ବିରିୟାନି ପରେ ତରଭୁଜ ଖାଇ ପରିବାରର ୪ ସଦସ୍ୟ ମୃତ!
ମୁମ୍ବାଇ, ୨୮ | ୪ : ବିରିୟାନି ଖାଇ ସାରିବା ପରେ ତରଭୁଜ ଖାଇ ପରିବାରର ୪ ସଦସ୍ୟ ମୃତ | ଏଭଳି ଏକ ଚକିତ କରିଦେଲା ଭଳି ଘଟଣା ଘଟିଛି ମୁମ୍ବାଇର ପ୍ୟାଧୁନି ଅଞ୍ଚଳରେ | ଯେଉଁଠି ଗୋଟେ ପରିବାରର ୪ ସଦସ୍ୟ ଏକାସଙ୍ଗେ ପ୍ରାଣ ହରାଇଛନ୍ତି | ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି |
ସୂଚନା ଅନୁସାରେ, ଏକ ପରିବାରର ପାଞ୍ଚ ଜଣ ସଦସ୍ୟ ରାତିରେ ଖାଇବାରେ ବିରିୟାନି ଖାଇଥିଲେ। ଏହା ପରେ, ବିଳମ୍ୱିତ ରାତିରେ ପୁଣିଥରେ ତରଭୁଜ ଖାଇଥିଲେ। ଖାଇବା ପରେ ସମସ୍ତେ ସୋଇ ପଡ଼ିଥିଲେ | କିନ୍ତୁ ସକାଳେ ହଠାତ ପରିବାରର ସମସ୍ତ ସଦସ୍ୟଙ୍କର ବାନ୍ତି ଏବଂ ଝାଡ଼ା ହୋଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ସେଠାରେ ଉକ୍ତ ଚାରି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ |
ତେବେ ଗ୍ରୀଷ୍ମ ଋତୁ ସମୟରେ ବଜାରରେ ସବୁଆଡେ ତରଭୁଜ ବିକ୍ରି ହୋଇଥାଏ | ଲୋକଙ୍କର ଚାହିଦା ମଧ୍ୟ ଅଧିକ ଥାଏ | ଯେଉଁଟା ବେଶି ଲାଲ ହୋଇଥିବା ତାକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି |ଉଜ୍ଜ୍ୱଳ ଲାଲ ତରଭୁଜ ବିକ୍ରି କରୁଥିବା ବିକ୍ରେତାଙ୍କ ଭିଡ଼ ଲାଗି ରହିଥିବା ବେଳେ, ମୁମ୍ବାଇରୁ ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ଲୋକଙ୍କ ମନରେ ଛନକା ପଶିଛି । ତରଭୁଜ ଖାଇ ଗୋଟିଏ ପରିବାରର ଚାରିଜଣ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି |ରିପୋର୍ଟ ଅନୁଯାୟୀ, ସାରା ପରିବାର ବିଳମ୍ବିତ ରାତିରେ ତରଭୁଜ ଖାଇଥିଲେ; ସକାଳ ସୁଦ୍ଧା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ଚାରିଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପ୍ରାଥମିକ ଭାବରେ ଖାଦ୍ୟର ବିଷାକ୍ତତାକୁ ଦାୟୀ କରାଯାଉଥିବା ବେଳେ, ଘଟଣାର ପ୍ରକୃତ କାରଣ ରହିଛି ତାହାକୁ ନେଇ ପ୍ରଶ୍ନ ଉଠିଛି |
ଏପ୍ରିଲ ୨୫ ରାତିରେ ଏହି ଘଟଣାଟି ଘଟିଥିବା ଜଣାପଡ଼ିଛି, କିଛି ସମ୍ପର୍କୀୟ ସେଦିନ ଘରକୁ ଆସିଥିଲେ। ପରିବାର ପ୍ରାୟ ରାତି ୧୦:୩୦ ଟାରେ ସେମାନଙ୍କ ସମ୍ପର୍କୀୟଙ୍କ ସହିତ ରାତ୍ରୀଭୋଜନ କରିଥିଲେ। ସମ୍ପର୍କୀୟମାନେ ଚାଲିଯିବା ପରେ, ରାତି ୧:୦୦ ରୁ ୧:୩୦ ମଧ୍ୟରେ, ପରିବାରର ସମସ୍ତ ଚାରି ସଦସ୍ୟ ତରଭୁଜ ଖାଇଥିଲେ, ଯାହା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଲା। ଏହାପରେ ପଡୋଶୀଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ପରିବାର ସଦସ୍ୟଙ୍କ ସମେତ ସମ୍ପର୍କୀୟ ମିଶି ସମୁଦାୟ ନଅ ଜଣ ରାତ୍ରୀଭୋଜନରେ ଯୋଗ ଦେଇଥିଲେ ଏବଂ ବିରିୟାନି ଖାଇଥିଲେ। ତେବେ ଅନ୍ୟ ପାଞ୍ଚ ଜଣ ବ୍ୟକ୍ତିଙ୍କ କିଛି କ୍ଷତି ହୋଇନଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି | ଏହି ଘଟଣା ରହସାତ୍ମକ ଭଳି ଲାଗୁଛି |ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହି ଘଟଣା କେବଳ ଖାଦ୍ୟ ବିଷାକ୍ତତା ମାମଲା, ନା ୟା ପଛରେ କାହାର ମନ୍ଦ ଯୋଜନା ରହିଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି | ତେବେ ରିପୋର୍ଟ ଆସିବା ପରେ ଏ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି।

