ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ PAଙ୍କ ହତ୍ୟା ମାମଲାରେ ବଡ ଅପଡେର୍ଟ! UPI ପେମେଣ୍ଟରୁ ମିଳିଲା ହତ୍ୟାକାରୀଙ୍କ ସୂଚନା…
ପଶ୍ଚିମବଙ୍ଗ, ୧୧ | ୫ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ PA ତଥା ପୂର୍ବତନ ବାୟୁସେନା କର୍ମଚାରୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା । ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବା ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଉତ୍ତରପ୍ରଦେଶରେ ଚଢ଼ାଉ କରି ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି | ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ରାଜ ସିଂ ।
ସୂଚନା ଅନୁସାରେ , ରାଜ ସିଂ ବଲିଆର ବାସିନ୍ଦା ହୋଇଥିବା ବେଳେ ସେ ବିହାରର ବକ୍ସର ଅଞ୍ଚଳରେ ରହୁଥିଲା । ହତ୍ୟାକାଣ୍ଡ ପରେ ସେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଯାଇ ଲୁଚିଥିଲା । କୋଲକାତା ପୁଲିସ ଏବଂ ଅଯୋଧ୍ୟା ପୁଲିସର ଏକ ମିଳିତ ଅପରେସନରେ ତାକୁ ଧରି କୋଲକାତା ଅଣାଯାଇଛି । ଏହି ହତ୍ୟାକାଣ୍ଡର ପୋଲିସକୁ ଏକ ବଡ ସୁରାକ ମିଳିଥିଲା ଯାହା ପୋଲିସକୁ ଅପରାଧୀକୁ ଧରିବାରେ ସାହାଯ୍ୟ କରିଛି | ହତ୍ୟା ପୂର୍ବରୁ ଅପରାଧୀମାନେ ବ୍ୟବହାର କରୁଥିବା କାର୍ ହାଓଡ଼ାର ବାଲି ଟୋଲ୍ ପ୍ଲାଜା ଅତିକ୍ରମ କରିଥିବା ସମୟରେ , ସେଠାରେ ସେମାନେ ନଗଦ ଟଙ୍କା କିମ୍ବା ଫାସଟ୍ୟାଗ୍ ବଦଳରେ UPIରେ ଟୋଲ୍ ଦେୟ ପୈଠ କରିଥିଲେ । ଏହି ଡିଜିଟାଲ୍ ଟ୍ରାଞ୍ଜାକସନ୍ ଆଧାରରେ ପୋଲିସକୁ ମୋବାଇଲ୍ ନମ୍ବର ଏବଂ ବ୍ୟାଙ୍କ୍ ଡିଟେଲ୍ସ ତଥ୍ୟ ସଂଗ୍ରହ କରିଥିଲା ।
ଏହାସହ ଟୋଲ୍ ପ୍ଲାଜାରେ ଲାଗିଥିବା CCTV ଫୁଟେଜ୍ ଯାଞ୍ଚ କରିବା ପରେ ପୁଲିସ ଏକ ସିଲଭର୍ ରଙ୍ଗର ନିସାନ୍ ମାଇକ୍ରା କାରକୁ ଚିହ୍ନଟ କରିଥିଲା । ତେବେ ଏହି କାରରେ ୩ ଜଣ ସନ୍ଦିଗ୍ଧ ବସିଥିବାର ଦେଖାଯାଇଥିଲା । ହତ୍ୟାକାଣ୍ଡ ଘଟାଇବା ପରେ ଅପରାଧୀମାନେ କାରଟିକୁ ଦୋହରିଆ ଅଞ୍ଚଳରେ ଛାଡ଼ି ଚମ୍ପଟ ହୋଇଥିଲେ । ପୁଲିସ ଉକ୍ତ କାର୍ ଏବଂ ଏକ ମୋଟରସାଇକେଲକୁ ଜବତ କରିଛି । କିନ୍ତୁ ଏକ ଆଶ୍ଚର୍ଯ୍ୟର କଥା ହେଉଛି, ଅପରାଧୀମାନେ ଗାଡ଼ିର ଅରଜିନାଲ ନମ୍ବର ମିଟାଇବା ସହ ଜାଲ୍ ନମ୍ବର ପ୍ଲେଟ୍ ବ୍ୟବହାର କରି ପୁଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରିଥିଲେ ।
ସୂଚନାଯୋଗ୍ୟ, ଚଳିତ ମାସ ୬ତାରିଖ ରାତିରେ ମଧ୍ୟଗ୍ରାମ ଅଞ୍ଚଳରେ ଚନ୍ଦ୍ରନାଥ ରଥ ନିଜ ଘରକୁ ଫେରୁଥିବା ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ମାତ୍ର ୫୦ ସେକେଣ୍ଡ ମଧ୍ୟରେ ସୁଟରମାନେ ଗୁଳିଚାଳନା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଚନ୍ଦ୍ରନାଥ ରଥ ଜଣେ ପୂର୍ବତନ ବାୟୁସେନା କର୍ମଚାରୀ ଥିଲେ ଏବଂ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀଙ୍କ ପିଏ ଭାବେ କାର୍ଯ୍ୟ କରୁଥିଲେ |
ତେବେ ଏହି ହତ୍ୟାକାଣ୍ଡ ପଛରେ ଉତ୍ତରପ୍ରଦେଶ କିମ୍ବା ବିହାରର କୌଣସି ପେସାଦାର ‘ସୁଟର ଗ୍ୟାଙ୍ଗ’ର ହାତ ରହିଥିବା ପୋଲିସର ସନ୍ଦେହ ଘେରାକୁ ଆସିଛି । କାରଣ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଏଜି ହତ୍ୟାକାଣ୍ଡର ପୁରା ପ୍ଲାନିଂ କରାଯାଉଥିଲା | ଯେଉଁଥିରେ ସ୍ଥାନୀୟ ଅପରାଧୀ ଓ ବାହାର ରାଜ୍ୟର ଶାର୍ପସୁଟରମାନେ ମଧ୍ୟ ସାମିଲ ରହିଥିବାର ତଥ୍ୟ ପୋଲିସ ସାମ୍ନାକୁ ଆସିଛି | ତେବେ ଏହି ହତ୍ୟାକାଣ୍ଡ ପଛର ଅସଲ ମାଷ୍ଟରମାଇଣ୍ଡ କିଏ ?କଣ ରହିଛି ହତ୍ୟାକାଣ୍ଡ ପଛର କାରଣ ଏମିତି ଅନେକ ପ୍ରଶ୍ନର ପରଦା ଉଠିବ | ବର୍ତ୍ତମାନ ପୋଲିସ ଗିରଫ କରିଥିବା ୩ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚୁରା କରିବା ଜାରି ରଖିଛି |

