କେଦାରନାଥ ମନ୍ଦିରରେ ସାଧାରଣ ଭକ୍ତ ହନ୍ତସନ୍ତ; ଭିଆଇପି ଦର୍ଶନ ପାଇଁ ୨,୫୦୦ ଟଙ୍କା; ଭକ୍ତଙ୍କ ଅଭିଯୋଗ
ଉତ୍ତରାଖଣ୍ଡ, ୧୨ | ୫ : ବିଶ୍ୱ ପ୍ରସିଦ୍ଧ କେଦାରନାଥ ଧାମ ଦେଶର ପ୍ରମୁଖ ଚାରିଧାମ ମଧ୍ୟରୁ ଗୋଟିଏ | ଦର୍ଶନ କରିବାକୁ ଏଠାକୁ ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ଆସିଥାନ୍ତି | ଲକ୍ଷଲକ୍ଷ ଭକ୍ତଙ୍କ ଆସ୍ଥା ଏବଂ ବିଶ୍ୱାସ ଯୋଡି ହୋଇଛି ଏହି ଧାମ ସହିତ | କିନ୍ତୁ କେଦାର ନାଥର ଧାମକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ | ହଜାର ହଜାର ଭକ୍ତ ବରଫ, ବର୍ଷା ଏବଂ ପ୍ରବଳ ଥଣ୍ଡା ମଧ୍ୟରେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇ ମହାଦେବଙ୍କ ଦର୍ଶନ ପାଇଁ ଅପେକ୍ଷା କରୁଛନ୍ତି। ଏହି ସମୟରେ, କିଛି ତୀର୍ଥଯାତ୍ରୀ ଅଭିଯୋଗ କରିଛନ୍ତି ଯେ ମନ୍ଦିରରେ ଭିଆଇପି ଦର୍ଶନ ବ୍ୟବସ୍ଥାକୁ ପ୍ରଶ୍ରୟ ଦିଆଯାଉଛି , ଯାହା ସାଧାରଣ ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି |
ଦିଲ୍ଲୀର ଜଣେ ମହିଳା ତୀର୍ଥଯାତ୍ରୀଙ୍କ କହିବା ଅନୁଯାୟୀ, ମନ୍ଦିରରେ ଭିଆଇପି ଦର୍ଶନ ପାଇଁ ୨,୫୦୦ ଟଙ୍କା ଆଦାୟ କରାଯାଉଛି। ତେବେ ମନ୍ଦିରରେ ପ୍ରଥମେ ତାଙ୍କୁ ୩,୦୦୦ ଟଙ୍କା ମାଗିଥିଲେ | ଯେହେତୁ ଉକ୍ତ ମହିଳାଙ୍କୁ ମିଶାଇ ଛଅ ଜଣ ଥିଲେ ତେଣୁ ତାଙ୍କୁ କୁହାଗଲା ଯେ ଛଅ ଜଣଙ୍କ ପାଇଁ ୨,୫୦୦ ଟଙ୍କା ରେ ଦର୍ଶନ ଯୋଗାଇ ଦିଆଯିବ। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ମନ୍ଦିର କମିଟି ଏବଂ କିଛି ବ୍ୟକ୍ତି ଏହି ଯୋଜନାରେ ସାମିଲ ଅଛନ୍ତି । ଟଙ୍କା ଦେବା ପରେ ମଧ୍ୟ ତାଙ୍କୁ ସେଠାରେ ୩-୪ ଘଣ୍ଟା ଅପେକ୍ଷା କରିବାକୁ ପଡିଲା ବୋଲି ସେ କହିଛନ୍ତି | ପ୍ରଶାସନ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ । ଏ ବିଷୟରେ ରୁଦ୍ରପ୍ରୟାଗ ଜିଲ୍ଲା ମାଜିଷ୍ଟ୍ରେଟ୍ ବିଶାଳ ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ଏହି ମାମଲାର ତଦନ୍ତ କରାଯିବା ନେଇ ସେ କହିଛନ୍ତି |
ମହିଳା ତୀର୍ଥଯାତ୍ରୀ ଅନିତା ଖୋସଲା କହିଛନ୍ତିଯେ, କେଦାରନାଥ ମନ୍ଦିରର ଭିଆଇପି ଗେଟ ବାହାରେ ଲମ୍ବା ଧାଡି ଲାଗିଛି। ତୀର୍ଥଯାତ୍ରୀମାନେ ସକାଳ ୩ଟାରୁ ଅପେକ୍ଷା କରି ଅପରାହ୍ନ ୩ଟାରେ ଦର୍ଶନ ପାଉଛନ୍ତି। ପରିସ୍ଥିତି ଅଣାୟତ୍ତ ହୋଇପଡିଛି | ଭିଆଇପି ତୀର୍ଥଯାତ୍ରୀମାନଙ୍କୁ ବହୁତ କମ୍ ସମୟ ମଧ୍ୟରେ ସିଧାସଳଖ ଦର୍ଶନ ପ୍ରଦାନ କରାଯାଉଥିବା ବେଳେ ସାଧାରଣ ତୀର୍ଥଯାତ୍ରୀମାନଙ୍କୁ ଧାଡିର ତିନୋଟି ପର୍ଯ୍ୟାୟ ଦେଇ ଯିବାକୁ ବାଧ୍ୟ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି |
କେଦାରନାଥ ଧାମକୁ ବୃଦ୍ଧ, ମହିଳା ଏବଂ ଦୂର ସ୍ଥାନରୁ ଯାତ୍ରା କରୁଥିବା ତୀର୍ଥଯାତ୍ରୀମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ସମୟ ଧରି ଥଣ୍ଡା ପବନ, ବର୍ଷା ଏବଂ ଉଚ୍ଚ ସ୍ଥାନର କଷ୍ଟକର ସ୍ଥାନରେ ଅପେକ୍ଷା କରିବା ସତ୍ତ୍ୱେ ସେମାନଙ୍କୁ ଦର୍ଶନ ପ୍ରାପ୍ତ ହେଉନାହିଁ | ଏହାକୁ ନେଇ ଅନେକ ତୀର୍ଥଯାତ୍ରୀ ମନ୍ଦିରର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି।
ତେବେ କେଦାରନାଥ ଦର୍ଶନ ଆରମ୍ଭ ହେବା ପୂର୍ବରୁ, ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଅଧିକାରୀମାନେ ଦାବି କରିଥିଲେ ଯେ, ଏଥର କେବଳ ସ୍ୱତନ୍ତ୍ର ପ୍ରୋଟୋକଲ୍ ଥିବା ବ୍ୟକ୍ତିମାନଙ୍କୁ ସୀମିତ ଭିଆଇପି ଦର୍ଶନ ଅନୁମତି ଦିଆଯିବ। କିନ୍ତୁ ଯାତ୍ରା ଆଗକୁ ବଢ଼ିବା ସହିତ, ମନ୍ଦିରରେ ୨୫୦୦ ଟଙ୍କାର ସ୍ଲିପ୍ ଏବେ ଭକ୍ତମାନଙ୍କ ଆସ୍ଥା ଭାବନାକୁ ଗଭୀର ଭାବରେ ଆଘାତ କରିଛି |।
ସୂଚନାଯୋଗ୍ୟ, ଏହାପୂର୍ବରୁ କେଦାରନାଥ ମନ୍ଦିରର ପୁରୋହିତ ଏବଂ ତୀର୍ଥଯାତ୍ରୀମାନେ ମଧ୍ୟ ଭିଆଇପି ଦର୍ଶନ ବ୍ୟବସ୍ଥା ବିରୁଦ୍ଧରେ ପ୍ରତିବାଦ କରିଥିଲେ । ତଥାପି ବ୍ୟବସ୍ଥାର ସୁଧାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେ, ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ଧାମ ବାବା କେଦାରନାଥଙ୍କ ମନ୍ଦିରରେ ସାଧାରଣ ଏବଂ ଭିଆଇପିଙ୍କ ମଧ୍ୟରେ ଏହି ପାର୍ଥକ୍ୟର ସମାଧାନ ଆଗକୁ ହେବ ନା ଏହି ପ୍ରକ୍ରିୟା ଏମିତି ଜାରି ରହିବ? ଏହା ସବୁଠାରୁ ବଡ ପ୍ରଶ୍ନ ଏବେ ଉଙ୍କି ମାରିଛି ଭକ୍ତଙ୍କ ମନରେ |

