ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଏଣିକି ସପ୍ତାହକୁ ଦୁଇଦନ ୱାର୍କ ଫ୍ରମ୍ କରିବେ ସରକାରୀ କର୍ମଚାରୀ!
ନୂଆଦିଲ୍ଲୀ,୧୪।୫: ବର୍ତ୍ତମାନର ବିଶ୍ୱସ୍ତରୀୟ ତୈଳ ସଙ୍କଟ ଏବଂ ଆମେରିକା-ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ଅପିଲ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତବାସୀଙ୍କୁ ଅପିଲ ପରେ ଏବେ ତାର ପ୍ରଭାବ ଦେଖିବାକୁ ମିଳିଛି ସବୁଠାରେ | ଗତକାଲି ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଡିଡି ବଂଶଲ ନିଜର ସରକାରୀ ଗାଡି ଛାଡି ସାଇକେଲରେ କୋର୍ଟକୁ ଆସିଥିଲେ | ତ୍ରିପୁରାର ମୁଖ୍ୟମନ୍ତ୍ରୀ ମାନିକ ଶାହା ମଧ୍ୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବାର ଘୋଷଣା କରିଥିଲେ | ଏବେ ଦିଲ୍ଲୀ ସରକାର ସପ୍ତାହରେ ଦୁଇ ଦିନ ପାଇଁ ଓ୍ବାର୍କ ଫ୍ରମ ହୋମ କରିବା ନେଇ ଘୋଷଣା କରିଛନ୍ତି ।
ସୂଚନା ଅନୁଯାୟୀ, ସରକାରୀ କ୍ଷେତ୍ରରେ, ପ୍ରତି ସପ୍ତାହରେ ଦୁଇ ଦିନିଆ ଓ୍ବାର୍କ ଫ୍ରମ ହୋମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ପଶ୍ଚିମ ଏସିଆ ସଙ୍କଟ କାରଣରୁ ଦେଶରେ ଉପୁଜିଥିବା ଶକ୍ତି ସଙ୍କଟ ଓ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ନୂତନ ନିୟମାବଳୀ ଘୋଷଣା କରିଛନ୍ତି | ଏହାସହିତ ଘରୋଇ କ୍ଷେତ୍ର ପାଇଁ ଏକ ସରକାରଙ୍କ ପକ୍ଷରୁ ଏକ ପରାମର୍ଶଦାତା ମଧ୍ୟ ଜାରି କରାଯିବ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତିଯେ, ସରକାରୀ ସ୍ତରରେ ବ୍ୟବହାର ହେଉଥିବା ଯାନବାହାନ ସଂଖ୍ୟାକୁ ହ୍ରାସ କରାଯାଇଛି । ପୂର୍ବରୁ, ଅଧିକାରୀମାନଙ୍କୁ ପ୍ରତି ମାସରେ ୨୦୦ଲିଟର ପେଟ୍ରୋଲ ବଣ୍ଟନ କରାଯାଉଥିଲା । ଯାହା ଏବେ ୨୦ ପ୍ରତିଶତକୁ ହ୍ରାସ କରାଯାଇଛି। ସେ ଏହା ମଧ୍ୟ ଘୋଷଣା କରିଛନ୍ତି ଯେ,ପ୍ରତ୍ୟେକ ସୋମବାର ଦିନ ସମସ୍ତ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀମାନେ କାର୍ ବଦଳରେ ମେଟ୍ରୋରେ ଯାତ୍ରା କରିବା ବାଧ୍ୟତାମୂଳକ ।
ଟ୍ରାଫିକ ସମସ୍ୟା ହେଉଛି ଆଜିର ସବୁଠାରୁ ବଡ ସମସ୍ୟା | ସେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ହେଉ କି ଜାତୀୟ ରାଜଧାନୀ ନ୍ୟୁ ଦିଲ୍ଲୀ ହେଉ ସବୁଠି ଟ୍ରାଫିକ ସମସ୍ୟା ଏକ ଗମ୍ଭୀର ସମସ୍ୟା | ସକାଳ ଏବଂ ସନ୍ଧ୍ୟା ସମୟରେ ଦିଲ୍ଲୀର ରାସ୍ତାରେ ପ୍ରବଳ ଟ୍ରାଫିକ୍ ସମସ୍ୟା ଦେଖାଯାଏ | ଏହି ସମସ୍ୟାର ସମାଧାନ ପାଇଁ, କାର୍ଯ୍ୟାଳୟ ସମୟକୁ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ସରକାରଙ୍କ ପାଇଁ ସରକାରୀ କାର୍ଯ୍ୟ ସମୟ ସକାଳ ୧୦:୩୦ ରୁ ସନ୍ଧ୍ୟା ୭:୦୦ ପର୍ଯ୍ୟନ୍ତ ରହିବ। ଏହି ସମୟରେ, MCD କାର୍ଯ୍ୟାଳୟଗୁଡ଼ିକ ସକାଳ ୮:୩୦ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଖୋଲା ରହିବ। ଏନେଇ ମୁଖ୍ୟମନ୍ତ୍ରୀ ସପ୍ତାହରେ ଥରେ “ନୋ ଯାନ ଦିବସ” ପାଳନ କରିବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଆସନ୍ତା ବର୍ଷେ ପର୍ଯ୍ୟନ୍ତ ଦିଲ୍ଲୀର କୌଣସି ମନ୍ତ୍ରୀ ବା ସରକାରୀ ଅଧିକାରୀ ଅନାବଶ୍ୟକ ଭାବେ ବିଦେଶ ଗସ୍ତ କରିପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ଜାରି କରାଯାଇଛି । ଏବଂ ସାମଗ୍ରୀ ପରିବହନ ପାଇଁ ଟ୍ରକ୍ ପରିବର୍ତ୍ତେ ଟ୍ରେନ୍ ବ୍ୟବହାର କରିବାକୁ ବ୍ୟବସାୟୀମାନଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।

