ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି : ପବ୍ଲିକ୍ ପ୍ଲେସରେ ଆଉ ରହିବନି ବୁଲା କୁକୁର
ନୂଆଦିଲ୍ଲୀ,୧୯।୫: ଦେଶର ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଦେଶର ରାସ୍ତାଘାଟ ଓ ଡାକ୍ତରଖାନା, ସ୍କୁଲ, କଲେଜ ଭଳି ସର୍ବ ସାଧାରଣସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ। ନଭେମ୍ବର ୨୦୨୫ରେ ଦିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସଂଶୋଧନ ପାଇଁ ଦାୟର ହୋଇଥିବା ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ବିଶେଷ କରି ସର୍ବସାଧାରଣ ସ୍ଥାନରୁ ଉଠାଯାଇଥିବା ବୁଲା କୁକୁରମାନଙ୍କ ବନ୍ଧ୍ୟାକରଣ ପରେ ପୁନର୍ବାର ସେହି ସମାନ ସ୍ଥାନରେ ନଛାଡ଼ିବା ପାଇଁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ । ଏବେ ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
ପଶୁ ଅଧିକାର କର୍ମୀମାନେ ଯୁକ୍ତି ଦର୍ଶାଇଥିଲେ ଯେ, କୁକୁରମାନଙ୍କ ସ୍ଥାନ ପରିବର୍ତ୍ତନ କରିବା ଦ୍ୱାରା ସେମାନେ ଦିଗହରା ଓ ଭ୍ରମିତ ହୋଇପାରନ୍ତି, ଯାହାଫଳରେ ସେମାନଙ୍କ ଆକ୍ରମଣ କରିବାର ଆଶଙ୍କା ଅଧିକ ବଢ଼ିପାରେ ବୋଲି ଆଶଙ୍କା ରହିଛି । ମାତ୍ର ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି। ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କ ଛାଡ଼ିବା ଆହୁରି ପରିସ୍ଥିତି ଖରାପ ହୋଇପାରେ ବୋଲି କୋର୍ଟ ପ୍ରକାଶ କରିଛନ୍ତି।
କୋର୍ଟ କହିଛନ୍ତି ଯେ, ଏହି ପଶୁମାନେ ସାଧାରଣ ଲୋକଙ୍କୁ, ବିଶେଷ କରି ଛୋଟ ପିଲାମାନଙ୍କୁ ବୁଲା କୁକୁର ଆକ୍ରମଣ କରୁଥିବା ଘଟଣାକୁ ଅଦାଲତ କଦାପି ଅଣଦେଖା କରିପାରିବେ ନାହିଁ। ଗତ ନଭେମ୍ବର ୭ ତାରିଖର ରାୟକୁ ପ୍ରତ୍ୟାହାର କରିବା ପାଇଁ ହୋଇଥିବା ଆବେଦନଗୁଡ଼ିକ ଉପରେ ବିସ୍ତୃତ ବିଚାର ବିମର୍ଶ କରାଯାଇଛି, ମାତ୍ର ଆବେଦନକାରୀମାନେ ”ଆନିମଲ ଓ୍ବେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆ”ର ପ୍ରୋଟୋକଲରେ ହସ୍ତକ୍ଷେପ କରିବା ପାଇଁ କୌଣସି ଯଥାର୍ଥ କାରଣ ଦର୍ଶାଇ ପାରିନାହାନ୍ତି। ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ଅଦାଲତ ପୂର୍ବ ନିର୍ଦ୍ଦେଶନାମାକୁ ପାଳନ କରିବାରେ ବିଫଳ ହୋଇଥିବା ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି।
ସରକାରଙ୍କ ପଦକ୍ଷେପଗୁଡ଼ିକ କେବଳ ସାମୟିକ ବା ଆକସ୍ମିକ ହୋଇ ରହିଯାଇଛି ଏବଂ ଏଥିରେ କୌଣସି ଆନୁଷ୍ଠାନିକ ପଦକ୍ଷେପ ନିଆଯାଇନାହିଁ । ବିନା କୌଣସି ସୁଚିନ୍ତିତ ଯୋଜନାରେ ବନ୍ଧ୍ୟାକରଣ ଏବଂ ଟୀକାକରଣ ଅଭିଯାନ ଚଲାଯାଇଛି, ଯାହାଫଳରେ ”ଆନିମଲ ବାର୍ଥ କଣ୍ଟ୍ରୋଲ୍” ବ୍ୟବସ୍ଥାର ପ୍ରକୃତ ଉଦ୍ଦେଶ୍ୟ ହିଁ ବିଫଳ ହୋଇଛି। ଯଦି ରାଜ୍ୟ ସରକାରମାନେ ଦୂରଦୃଷ୍ଟି ରଖି ପୂର୍ବରୁ ଉଚିତ୍ ପଦକ୍ଷେପ ନେଇଥାନ୍ତେ, ତେବେ ଆଜି ବୁଲା କୁକୁରଙ୍କ ସମସ୍ୟା ଦେଶରେ ଏଭଳି ଭୟଙ୍କର ରୂପ ଧାରଣ କରିନଥାନ୍ତା ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ପ୍ରକାଶ କରିଛନ୍ତି।

