କେନାଲ ଭିତରୁ ମିଳିଲା ପଞ୍ଜାବୀ ଗାୟିକା ଇନ୍ଦର କୌରଙ୍କ ମୃତଦେହ! ୨ ଗିରଫ
ପଞ୍ଜାବ,୨୦।୫: ପଞ୍ଜାବୀ ଗାୟିକା ଇନ୍ଦର କୌରଙ୍କ ନିଖୋଜ ହେବାର କିଛି ଦିନ ପରେ ଲୁଧିଆନାର ଏକ କେନାଲରୁ ଏବେ ତାଙ୍କର ମୃତଦେହ ମିଳିଛି। ପୋଲିସର ସୂଚନା ଅନୁସାରେ, ମେ ୧୩ ତାରିଖରେ ସେ ନିଖୋଜ ହୋଇଥିଲେ। ପୋଲିସ ଦ୍ୱାରା ଏକ ସର୍ଚ୍ଚ ଅପରେସନ ପରେ ମଙ୍ଗଳବାର ଦିନ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁସାରେ, ଲୁଧିଆନାର ଜମାଲପୁରର ବାସିନ୍ଦା ଇନ୍ଦର କୌର ନିଖୋଜ ହେବା ଦିନ ନିଜ କାରରେ ଘରୁ ବାହାରିଥିଲେ। ଆଉ ତାର କିଛି ସମୟ ପରେ ହିଁ ତାଙ୍କୁ ଅପହରଣ କରାଯାଇଥିଲା ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ । ପରିବାର ଆହୁରି ଦାବି କରିଛନ୍ତିଯେ, କାନାଡାରେ ରହୁଥିବା ଜଣେ ବ୍ୟକ୍ତି ଏହି ହତ୍ୟାକାଣ୍ଡର ଯୋଜନା କରିଛି, ଯାହାଙ୍କ ବିବାହ ପ୍ରସ୍ତାବକୁ ସେ ନିକଟରେ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ସୁଖବିନ୍ଦର ସିଂହଙ୍କ ପିତା ପ୍ରୀତମ ସିଂହ ଏବଂ ତାଙ୍କ ସହଯୋଗୀ କରମଜିତ ସିଂହଙ୍କୁ ପୋଲିସ ଗିରଫ କରିଛି । ଅନ୍ୟପଟେ, ଏହି ଅପରାଧର ମୁଖ୍ୟ ଅଭିଯୁକ୍ତ ସୁଖବିନ୍ଦର ସିଂହ କାନାଡାକୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି।
ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସମରାଲା ସିଭିଲ ହସ୍ପିଟାଲକୁ ପଠାଇଥିବା ବେଳେ ତଦନ୍ତକାରୀ ଦଳ ହତ୍ୟାକାଣ୍ଡ ସହ ଜଡିତ ଘଟଣାବଳୀର ଅଧିକ ତଦନ୍ତ ଜାରି ରଖିଛନ୍ତି।
ଇନ୍ଦର କୌର ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଗୀତ ଗାଇବା ଛାଡି ଏକ ବୁଟିକ୍ ସହିତ ମେକଅପ୍ ଷ୍ଟୁଡିଓ ପରିଚାଳନା କରୁଥିଲେ। ଏଚଟି (HT) ଦ୍ୱାରା ଉଦ୍ଧୃତ ରିପୋର୍ଟ ଅନୁଯାୟୀ, ପ୍ରାୟ ତିନି ବର୍ଷ ପୂର୍ବେ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କର ସୁଖବିନ୍ଦରଙ୍କ ସହ ପରିଚୟ ହୋଇଥିଲା।
ତେବେ ପରିବାର ଲୋକଙ୍କୁ ଏହି ବନ୍ଧୁତା ବିଷୟରେ ଜଣାଥିଲା କିନ୍ତୁ ସୁଖବିନ୍ଦର ପୂର୍ବରୁ ବିବାହିତ ଏବଂ ତାଙ୍କର ପିଲାମାନେ ଅଛନ୍ତି ବୋଲି ଇନ୍ଦର କୌରଙ୍କ ପରିବାର ଲୋକ ଜାଣିବା ପରେ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ସେ ତାଙ୍କୁ ବିବାହ କରିବାକୁ କିମ୍ବା ସମ୍ପର୍କ ରଖିବାକୁ ମନା କରିଦେଇଥିଲେ । ଏହାପରେ ଉତ୍ତ୍ୟକ୍ତ ହୋଇ ସୁଖବିନ୍ଦର ଏଭଳି କାଣ୍ଡ ଘଟାଇଥିବା ପରିବାର ଲୋକେ ଅନୁମାନ କରୁଛନ୍ତି।
ପରିବାର ଲୋକେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ହତ୍ୟା ପାଇଁ ସୁଖବିନ୍ଦର କାନାଡାରୁ ନେପାଳ ଦେଇ ପଞ୍ଜାବ ଆସିଥିଲେ। ଯେମିତି ତାଙ୍କୁ କେହି ସନ୍ଦେହ କରିବେ ନାହିଁ । ସେପଟେ ଅପହରଣ ସମୟରେ ମୋଗାରୁ ଭଡାରେ ଅଣାଯାଇଥିବା ଦୁଇଟି ଟ୍ୟାକ୍ସି ବ୍ୟବହାର କରାଯାଇଥିବା ପୋଲିସ୍ ସନ୍ଦେହ କରୁଛି। କେନାଲ ନିକଟରେ ଇନ୍ଦର କୌରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସେହି ନେପାଳ ରାସ୍ତା ଦେଇ ପୁଣି କାନାଡା ଫେରାର ହୋଇଯାଇଥିବା ବିଶ୍ୱାସ କରାଯାଉଛି।
ଇନ୍ଦର କୌର ପଞ୍ଜାବୀ ଆଞ୍ଚଳିକ ସଙ୍ଗୀତ ଜଗତରେ ଏକ ପରିଚିତ ଚେହେରା ଏବଂ ନିକଟ ଅତୀତରେ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ସୃଷ୍ଟି ହୋଇଥିଲେ। ସେ ‘ସୋନେ ଦି ଚିଢି’, ‘ଜିଜା’, ‘ସୋହନା ଲାଗଦା’ ଏବଂ ‘ଦେଶୀ ସିରେ ଦା’ ଭଳି ଗୀତ ପାଇଁ ଜଣାଶୁଣା ଥିଲେ। ତାଙ୍କର ଏହି ଆକସ୍ମିକ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କୁ ଗଭୀର ଆଘାତ ଦେଇଛି।

