ବିଶ୍ୱବିଦ୍ୟାଳୟରେ ବେଆଇନ ନିଯୁକ୍ତି ପ୍ରକ୍ରିୟାକୁ ରୋକିବାକୁ ନେଇ ଉଚ୍ଚଶିକ୍ଷା ବିଭାଗର କଡା ପଦକ୍ଷେପ !
ଭୁବନେଶ୍ୱର,୨୧ା୫: ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ପ୍ରକ୍ରିୟାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ପୂର୍ବରୁ କାର୍ଯ୍ୟରତ ଥିବା ଅତିଥି ଅଧ୍ୟାପକମାନଙ୍କୁ ପୁନଃନିଯୁକ୍ତି ଦେବା ସହ କ୍ୟାମ୍ପସଗୁଡ଼ିକରେ ଖାଲି ପଡ଼ିଥିବା ପଦବୀରେ ନୂତନ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଶିକ୍ଷକ ଅଭାବ ଜନିତ ସମସ୍ୟାକୁ ହ୍ରାସ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି ।
ତେବେ ଏହି ସୁବିଧା ସହିତ ସରକାର କିଛି କଠୋର ନିୟମ ମଧ୍ୟ ଜାରି କରିଛନ୍ତି । ସରକାରୀ ବିଶ୍ୱବିଦ୍ୟାଳୟରେ ବେଆଇନ ପ୍ରକ୍ରିୟାରେ ନିଯୁକ୍ତି ହେବାକୁ ଉଚ୍ଚଶିକ୍ଷା ସଚିବ କଡା ତାଗିଦ । ଏସମ୍ପର୍କରେ ସେ ସମସ୍ତ କୁଳପତିଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ବେଆଇନ ନିଯୁକ୍ତି ଓ ସେମାନଙ୍କୁ ନିୟମିତ କରିବା ପ୍ରସ୍ତାବ ଉପରେ ଦେଇଛନ୍ତି ଚେତାବନୀ । ଚିଠିରେ ଉଚ୍ଚଶିକ୍ଷା ବିଭାଗର ବିନା ଅନୁମତିରେ ନିଯୁକ୍ତି ଦିଆଯାଇଥିବା ଉଲ୍ଲେଖ କରାଯାଇଛି । ଚିଠିରେ ଆହୁରି ଲେଖାଯାଇଛିକି ଏଭଳି ବେଆଇନ ପଦ୍ଧତି ଦ୍ୱାରା ସରକାର ଏବଂ ବିଶ୍ୱବିଦ୍ୟାଳୟ ଉପରେ ଆର୍ଥିକ ବୋଝ ପଡ଼ୁଛି। ଏଭଳି ବେଆଇନ କାର୍ଯ୍ୟକୁ ସରକାର ଜମା ବରଦାସ୍ତ କରିବେ ନାହିଁ। କେବଳ ସେତିକି ନୁହେଁ ନିୟମିତ କରିବା ନେଇ ଆସିଥିବା ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରାଯିବ ନାହିଁ। ଏପରି ଭାବେ ବେଆଇନ ନିଯୁକ୍ତିର ଆର୍ଥିକ ବୋଝ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବହନ କରିବ। ଏହାସହିତ ଯେଉଁ ଅଧିକାରୀ ବେଆଇନ ନିଯୁକ୍ତି ଦେଇଥିବାରେ ସ୍ମରୁକ୍ତ ରହିଥିବେ ସେମାନଙ୍କ ପ୍ରତି ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ କହିଛନ୍ତି।

