Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତ୍ବିଶା ଶର୍ମା ମୃତ୍ୟୁ ମାମଲା ସୁପ୍ରିମକୋର୍ଟରେ! ୨୫ରେ ହେବ ଶୁଣାଣି, ସ୍ୱାମୀ ସମର୍ଥ ୭ ଦିନିଆ ପୋଲିସ ହାଜତରେ

ବହୁଚର୍ଚ୍ଚିତ ମଡେଲ ଓ ପୂର୍ବତନ ‘ମିସ୍‌ ପୁଣେ’ ତ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟ ନିଜଆଡ଼ୁ ଏହି ମାମଲାର ଶୁଣାଣି ପାଇଁ ମାମଲା ରୁଜୁ କରିଥିବାବେଳେ, ଆସନ୍ତା ୨୫ ତାରିଖରେ ଏହାର ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠ ଏହି ମାମଲାର ଶୁଣାଣି କରିବେ। ଅନ୍ୟପଟେ ତ୍ବିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କୁ ଅଦାଲତ ୭ ଦିନ ପାଇଁ ପୋଲିସ ହାଜତକୁ ପଠାଇଛନ୍ତି।

ତ୍ବିଶାଙ୍କ ମୃତ୍ୟୁ ପରେ ଫେରାର ଥିବା ସମର୍ଥ ଶୁକ୍ରବାର ଜବଲପୁର ଅଦାଲତରେ ଆତ୍ମସମର୍ପଣ କରିଥିଲେ। ଶନିବାର ତାଙ୍କୁ ଭୋପାଳର କଟାରା ହିଲ୍ସ ଥାନାକୁ ନେଇ ପଚରାଉଚରା କରାଯାଇଥିଲା। ପରେ ଅଦାଲତରେ ହାଜର କରାଯାଇଥିବାବେଳେ ସମର୍ଥଙ୍କ ଓକିଲ ଗୋଟିଏ ଦିନ ପୋଲିସ ହେପାଜତ ପାଇଁ ଯୁକ୍ତି ରଖିଥିଲେ। ତେବେ ଅଦାଲତ ପୋଲିସର ଆବେଦନକୁ ମଞ୍ଜୁର କରି ୭ ଦିନିଆ ହାଜତ ନିର୍ଦେଶ ଦେଇଛନ୍ତି। ଏହା ସହିତ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆ ସମର୍ଥଙ୍କ ଓକିଲାତି ଲାଇସେନ୍ସକୁ ବାତିଲ କରିଛି।

ତ୍ବିଶାଙ୍କ ପରିବାର ପକ୍ଷରୁ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ, ବିବାହ ପରଠାରୁ ତାଙ୍କୁ ୫୦ ଲକ୍ଷ ଟଙ୍କା ଓ ଟୟୋଟା ଫର୍ଚ୍ୟୁନର ଗାଡ଼ି ଆଣିବାକୁ ଚାପ ଦିଆଯାଉଥିଲା। ମେ’ ୧୨ରେ ଭୋପାଳସ୍ଥିତ ଶ୍ୱଶୁର ଘରୁ ତ୍ବିଶାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହି ଘଟଣାର ଦ୍ୱିତୀୟ ଥର ପୋଷ୍ଟମର୍ଟମ ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟ ନିର୍ଦେଶ ଦେଇଥିବାବେଳେ, ଦିଲ୍ଲୀ ଏମ୍ସର ଚାରିଜଣିଆ ଡାକ୍ତରୀ ଦଳ ଭୋପାଳ ଯାଇ ତଦନ୍ତ କରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ