ରାଜଧାନୀରେ ପୁଣି ହିଟ୍ ଆଣ୍ଡ୍ ରନ୍! ୬୦ ମିଟର ଯାଏଁ ଅଟୋକୁ ଘୋଷାଡ଼ି ନେଲା ଟ୍ରକ୍
ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଭୟଙ୍କର ହିଟ୍ ଆଣ୍ଡ୍ ରନ୍ ଘଟଣା ସାମ୍ନାକୁ ଆସିଛି। କଟକ-ପୁରୀ ବାଇପାସ୍ ରୋଡ୍ର ପାଣ୍ଡରା ଛକ ନିକଟରେ ଏକ ବେପରୁଆ ଟ୍ରକ୍ ଏକ ଅଟୋକୁ ଧକ୍କା ଦେଇ ପ୍ରାୟ ୫୦ରୁ ୬୦ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ଟ୍ରକ୍ର ଧକ୍କାରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଏକ ଦୋକାନ ଭିତରକୁ ପଶିଯାଇଥିଲା। ଘଟଣାସ୍ଥଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।
ଦୁର୍ଘଟଣାରେ ଅଟୋରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଆଉ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏଥିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।
ପରେ ଲୋକମାନେ ଟ୍ରକ୍ଟିକୁ ଗୋଡ଼ାଇ ଡ୍ରାଇଭରକୁ କାବୁ କରିଥିଲେ। ଉତ୍ୟକ୍ତ ଲୋକେ ବେପରୁଆ ଡ୍ରାଇଭରକୁ ଧରି ପିଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

