୯୦ ବର୍ଷର ଶାଶୂଙ୍କୁ କାନ୍ଧରେ ବୋହି ୯ କିମି ଚାଲିଲେ ବୋହୂ, ପେନ୍ସନ ପାଇଁ ସଂଘର୍ଷର କଷ୍ଟଦାୟକ ଚିତ୍ର
ଛତିଶଗଡ଼ର ସୁରଗୁଜା ଜିଲ୍ଲାରୁ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ୯୦ ବର୍ଷୀୟା ଶାଶୂଙ୍କ ପେନ୍ସନ ଟଙ୍କା ଆଣିବା ପାଇଁ ଜଣେ ବୋହୂ ତାଙ୍କୁ କାନ୍ଧରେ ବୋହି ପ୍ରାୟ ୯ କିମି ଜଙ୍ଗଲିଆ ରାସ୍ତା ଚାଲି ବ୍ୟାଙ୍କ ପହଞ୍ଚିଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଏହି ଘଟଣା ଗ୍ରାମାଞ୍ଚଳରେ ମୌଳିକ ସୁବିଧାର ଅଭାବକୁ ପୁଣିଥରେ ସାମ୍ନାକୁ ଆଣିଛି।
ସୁଖମଣିଆ ବାଈ ନାମକ ଏହି ମହିଳାଙ୍କ ଗାଁରୁ ବ୍ୟାଙ୍କ ପର୍ଯ୍ୟନ୍ତ କୌଣସି ଯାନବାହନ ସୁବିଧା ନଥିବାରୁ ସେ ବୃଦ୍ଧା ଶାଶୂଙ୍କୁ କାନ୍ଧରେ ବୋହି ନେବାକୁ ବାଧ୍ୟ ହୋଇଥିଲେ। ବୟସ ହେତୁ ଶାଶୂ ଚାଲିବା ଅବସ୍ଥାରେ ନଥିବା ବେଳେ ବ୍ୟାଙ୍କ ଅଧିକାରୀମାନେ ତାଙ୍କୁ ସାକ୍ଷାତ ଦେଖିବା ବିନା ପେନ୍ସନ ଦେବାକୁ ମନା କରିଥିଲେ। ବୃଦ୍ଧାଙ୍କୁ ମାସିକ ୧୫୦୦ ଟଙ୍କା ପେନ୍ସନ ମିଳୁଥିବା ବେଳେ ପ୍ରତିମାସ ବ୍ୟାଙ୍କ ଯିବା ସମ୍ଭବ ନହେବାରୁ ପ୍ରତି ୩ ରୁ ୪ ମାସରେ ଥରେ ଏଭଳି କଷ୍ଟ କରିବାକୁ ପଡୁଛି ବୋଲି ସୁଖମଣିଆ କହିଛନ୍ତି।
ଏହି ଭିଡିଓ ଭାଇରାଲ୍ ହେବା ପରେ ସାମାଜିକ ଗଣମାଧ୍ୟମରେ ସରକାରୀ ବ୍ୟବସ୍ଥାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଥିବାବେଳେ ସରକାରଙ୍କ ‘ଦ୍ୱାରେ ଦ୍ୱାରେ ସେବା’ ଦାବି କେତେ ଦୂର ସତ୍ୟ, ତାହାକୁ ନେଇ ପ୍ରଶ୍ନ ଉଠିଛି।

