ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ
ବାଲିଗୁଡ଼ା, ତା, ୨୬/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା ସହର ମା’ପାଟଖଣ୍ଡା ମାର୍କେଟ ରେ ମା ‘ପାଟଖଣ୍ଡା ଲେଡିସ କର୍ଣ୍ଣର ର ମାଲିକ ତଥା ଅଞ୍ଚଳ ର ଯୁବ ବ୍ୟବସାୟୀ ଖଜୁରୀନାଳ ସାହି ବାସିନ୍ଦା ବି.ମହେଶ୍ବର ଦୋରା (ପିଣ୍ଟୁ) ଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଙ୍ଗଳବାର ଦିନ ମଧ୍ୟ ପିଣ୍ଟୁ ବ୍ୟାଡମିଣ୍ଟନ ଖେଳିବାକୁ ସକାଳୁ ଯାଇଥିଲେ । ଖେଳି ସାରି ଘରକୁ ଫେରିଥିଲେ ପିଣ୍ଟୁ । କିନ୍ତୁ ନିଜ ଘର ଆଗରେ ମହୁମାଛି ଆକ୍ରମଣର ଶିକାର ହୋଇ ତଳେ ପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ବଣିକ ସଂଘ, ବିପଦର ବନ୍ଧୁ ସଂଗଠନ, ଓ ମା’ ପାଟଖଣ୍ଡା ମାର୍କେଟ ର ଜଣେ ସକ୍ରିୟ ସଦସ୍ୟ ସହ ଉତ୍ତମ ସ୍ୱଭାବ, ମେଳାପୀ ତଥା ପରୋପକାରୀ ଯୁବକ ଭାବେ ସେ ବେଶ ପରିଚିତ ଥିଲେ l ତାଙ୍କର ଅମର ଆତ୍ମା ର ସଦଗତି କାମନା କରି ସ୍ଥାନୀୟ ବଣିକ ସଂଘ ଓ ମା ‘ପାଟଖଣ୍ଡା ମାର୍କେଟ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ କରି ସମ୍ମାନ ଜଣାଇଥିଲେ l

