SIRକୁ ସୁପ୍ରିମକୋର୍ଟଙ୍କ ମୋହର: ନିର୍ବାଚନ କମିଶନଙ୍କ ପକ୍ଷରେ ବଡ଼ ରାୟ, ଖାରଜ ହେଲା ସମସ୍ତ ଆବେଦନ
ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କ SIR (ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍) ପ୍ରକ୍ରିୟାକୁ ବୈଧ ଘୋଷଣା କରି ଏହା ବିରୋଧରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ଭୋଟର ତାଲିକାର ସ୍ୱଚ୍ଛତା ଓ ସଠିକତା ରକ୍ଷା ପାଇଁ ନିର୍ବାଚନ କମିଶନ ନିଜ ସାମ୍ବିଧାନିକ କ୍ଷମତା ଅନୁଯାୟୀ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ କହିଛନ୍ତି ଯେ, SIR ସାଧାରଣ ସଂଶୋଧନ ପ୍ରକ୍ରିୟାଠାରୁ ଭିନ୍ନ ହେଲେ ମଧ୍ୟ ଏହାକୁ ବେଆଇନ କୁହାଯାଇପାରିବ ନାହିଁ।
ଶୁଣାଣି ସମୟରେ ଆବେଦନକାରୀମାନେ ଯୁକ୍ତି ରଖିଥିଲେ ଯେ, SIR ପ୍ରକ୍ରିୟା ଭୋଟରଙ୍କ ଉପରେ ଅତିରିକ୍ତ ଦସ୍ତାବିଜ ଦେବାର ବୋଝ ପକାଉଛି ଏବଂ ଏହା ଲୋକ ପ୍ରତିନିଧି ଆଇନ ଓ ସମ୍ବିଧାନର Article 326 ବିରୋଧୀ। କିନ୍ତୁ କୋର୍ଟ ଏହି ଯୁକ୍ତିକୁ ଖାରଜ କରି କହିଛନ୍ତି ଯେ, ଭୋଟର ତାଲିକାରୁ ନାଁ ବାଦ୍ କରିବା କିମ୍ବା ଦସ୍ତାବିଜ ଯାଞ୍ଚ କରିବା ନିର୍ବାଚନ କମିଶନଙ୍କ ବୈଧ ଅଧିକାର ମଧ୍ୟରେ ପଡ଼େ। କୋର୍ଟ ଆହୁରି କହିଛନ୍ତି ଯେ, କମିଶନ କାହାର ନାଗରିକତ୍ୱ ନିର୍ଦ୍ଧାରଣ କରୁନାହାଁନ୍ତି, ବରଂ ମତଦାତା ତାଲିକାର ସଠିକତା ଯାଞ୍ଚ କରୁଛନ୍ତି।
ଏହି ରାୟକୁ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଦିଗରେ ବଡ଼ ପଦକ୍ଷେପ ବୋଲି ଦେଖାଯାଉଛି। ବିଶେଷକରି ବିହାର ସମେତ କେତେକ ରାଜ୍ୟରେ ଭୋଟର ତାଲିକା ସଂଶୋଧନକୁ ନେଇ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ସେଥିରେ ଏହି ରାୟ ନିର୍ବାଚନ କମିଶନଙ୍କ ପକ୍ଷକୁ ଶକ୍ତିଶାଳୀ କରିଛି। ସୁପ୍ରିମକୋର୍ଟଙ୍କ ଏହି ଫୈସଲା ପରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆହୁରି କଡ଼ା ଏବଂ ପ୍ରଯୁକ୍ତିନିର୍ଭର ହେବାର ସମ୍ଭାବନା ରହିଛି।

