ଚଳନ୍ତା ଟ୍ରେନରୁ ଜବତ ହେଲା ୧.୨୨ କୋଟି ଟଙ୍କା, ହାୱାଲା ଲିଙ୍କ୍ ନେଇ ତଦନ୍ତ ଜୋରଦାର
ହାଇଦ୍ରାବାଦରେ ଚଳନ୍ତା ଟ୍ରେନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି ରେଳବାଇ ପୋଲିସ। ସରକାରୀ ରେଳବାଇ ପୋଲିସ (GRP) ଏବଂ ରେଳ ସୁରକ୍ଷା ବଳ (RPF) ମିଳିତ ଭାବେ କରିଥିବା ଅଭିଯାନରେ ଦେବଗିରି ଏକ୍ସପ୍ରେସ ଟ୍ରେନରୁ ୧ କୋଟି ୨୨ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଛି। ଏହି ଘଟଣା ପରେ ହାୱାଲା କାରବାର ନେଇ ବଡ଼ ସନ୍ଦେହ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ବୋଲାରାମ ଏବଂ ମାଲକାଜଗିରି ଷ୍ଟେସନ ମଧ୍ୟରେ ନିୟମିତ ଯାଞ୍ଚ ବେଳେ ଜଣେ ଯାତ୍ରୀଙ୍କ ଚଳଚଳନ ସନ୍ଦେହଜନକ ଲାଗିଥିଲା। ପୋଲିସ ତାଙ୍କୁ ଅଟକାଇ ବ୍ୟାଗ ଯାଞ୍ଚ କରିବା ପରେ ସେଥିରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଥିଲା। ଅଭିଯୁକ୍ତ ଜଣକ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ବୋଲି ଜଣାପଡ଼ିଛି। ପଚରାଉଚରା ବେଳେ ସେ କହିଥିଲେ ଯେ, ମୁମ୍ବାଇର ଜଣେ ଅଳଙ୍କାର ବ୍ୟବସାୟୀ ତାଙ୍କୁ ଏହି ଟଙ୍କା ସିକନ୍ଦରାବାଦର ଅନ୍ୟ ଜଣେ ବ୍ୟବସାୟୀଙ୍କ ପାଖକୁ ପହଞ୍ଚାଇବାକୁ ଦେଇଥିଲେ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, କୋଟି କୋଟି ଟଙ୍କାର ଏହି ବ୍ୟାଗ ପହଞ୍ଚାଇବା ପାଇଁ ଅଭିଯୁକ୍ତକୁ କେବଳ ୫ ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ଟଙ୍କା ସମ୍ପର୍କିତ କୌଣସି ବୈଧ କାଗଜପତ୍ର, ଟିକସ ଇନଭଏସ କିମ୍ବା ମାଲିକାନା ପ୍ରମାଣ ଦେଖାଇ ପାରିନଥିବାରୁ ପୋଲିସ ସମସ୍ତ ଟଙ୍କା ଜବତ କରିଛି। ପୋଲିସର ସନ୍ଦେହ ଯେ, ଅଳଙ୍କାର ବ୍ୟବସାୟ ଆଳରେ ଟିକସ ଫାଙ୍କି ଓ ହାୱାଲା ନେଟୱାର୍କ ଚାଲୁଥିଲା। ଏବେ ଏହି ଘଟଣାର ମାଷ୍ଟରମାଇଣ୍ଡ ଏବଂ ଏହା ସହ ଜଡ଼ିତ ନେଟୱାର୍କ ଉପରେ ତଦନ୍ତ ଜୋରଦାର କରାଯାଇଛି।

