ଥାର୍ ଚଢ଼ାଇ ସାଙ୍ଗକୁ ହତ୍ୟା! ତ୍ରିକୋଣୀୟ ପ୍ରେମରୁ ରାଜଧାନୀରେ ଚାଞ୍ଚଲ୍ୟକର କାଣ୍ଡ
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିବା ଥାର୍ ଗାଡ଼ି ଦୁର୍ଘଟଣା ମାମଲା ଏବେ ଏକ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ତ୍ରିକୋଣୀୟ ପ୍ରେମ ଓ ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି। ମୃତକ ବରୁଣ ରାଉତରାୟ (୨୪) ଜଣେ ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ଅଭିଯୁକ୍ତ ସୂରଜ ବିଶ୍ୱକର୍ମା ତାଙ୍କ ସ୍କୁଲ୍ ଜୀବନର ଘନିଷ୍ଠ ବନ୍ଧୁ ଥିଲେ। ଜଣେ ଯୁବତୀଙ୍କୁ ନେଇ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଥିଲା ଏବଂ ଏହି ବିବାଦ ଶେଷରେ ରକ୍ତାକ୍ତ ପରିଣତି ନେଇଥିବା ଅଭିଯୋଗ ହୋଇଛି।
ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ବରୁଣ ଓ ତାଙ୍କ ଦୁଇ ସାଙ୍ଗ ବାଇକରେ ଯାଉଥିବାବେଳେ ଅଭିଯୁକ୍ତମାନେ ଥାର୍ ଗାଡ଼ିରେ ସେମାନଙ୍କୁ ପିଛା କରିଥିଲେ। ନୀଳାଦ୍ରିବିହାର ଅଞ୍ଚଳରେ ଥାର୍ ଗାଡ଼ି ବାଇକକୁ ଧକ୍କା ଦେବା ସହ ବରୁଣଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଇ ଦିଆଯାଇଥିବା ଅଭିଯୋଗ ରହିଛି। ଘଟଣାରେ ବରୁଣଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କର ଦୁଇ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କ ବୟାନ ଆଧାରରେ ପୁଲିସ ରାତାରାତି ଚଢ଼ଉ କରି ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଜଣେ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ବରୁଣଙ୍କୁ ଫସାଇବା ପାଇଁ ପୂର୍ବରୁ ଯୋଜନା କରାଯାଇଥିଲା। ଏକ ଜୁସ୍ ସେଣ୍ଟରରେ ଅଭିଯୁକ୍ତମାନେ ବୈଠକ କରି ହତ୍ୟା ଷଡ଼ଯନ୍ତ୍ର ରଚିଥିବା ସନ୍ଦେହ କରାଯାଉଛି। ପାର୍ଟି ନାଁରେ ବରୁଣଙ୍କୁ ଡକାଯାଇଥିଲା ଏବଂ ପରେ ରାସ୍ତାରେ ପିଛା କରି ଏହି ନୃଶଂସ କାଣ୍ଡ ଘଟାଯାଇଥିଲା। ପୁଲିସ ହତ୍ୟାରେ ବ୍ୟବହୃତ ଥାର୍ ଗାଡ଼ି ଓ ଏକ ସ୍କୁଟି ଜବତ କରିଥିବାବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

