Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପାଇଁ ଧର୍ମଗଡ଼ରେ ସଚେତନତା ଶୋଭାଯାତ୍ରା

କଳାହାଣ୍ଡି,୦୬/୦୬
ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଧର୍ମଗଡ଼ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ଶନିବାର ଧର୍ମଗଡ଼ ଉପଜିଲ୍ଲାପାଳ ତଥା ୭୯-ଧର୍ମଗଡ଼ ବିଧାନସଭା କ୍ଷେତ୍ରର ପଞ୍ଜୀକରଣ ଅଧିକାରିଣୀ ପ୍ରେକ୍ଷା ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ବିରାଟ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଧର୍ମଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ଧର୍ମଗଡ଼ ଉତ୍ସବ ପଡ଼ିଆ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରାରେ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବ୍ୟକ୍ତିବର୍ଗ ଉତ୍ସାହର ସହ ସାମିଲ ହୋଇଥିଲେ।
ଭୋଟର ତାଲିକା ସଂଶୋଧନର ଗୁରୁତ୍ୱ, ଗଣନା ଫର୍ମ (EFs) ବଣ୍ଟନ ଓ ଦାଖଲ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମରେ ଯୋଗ୍ୟ ଭୋଟରମାନଙ୍କର ସର୍ବାଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଏହି ଶୋଭାଯାତ୍ରାର ମୂଳ ଉଦ୍ଦେଶ୍ୟ ଥିଲା।
ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଧର୍ମଗଡ଼ ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ,ଡେପୁଟି କଲେକ୍ଟର ପୁନମ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ (ନିର୍ବାଚନ) ଶ୍ରୀକାନ୍ତ ଶତପଥୀଙ୍କ ସମେତ ବହୁ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। କଳାହାଣ୍ଡି ର ବିରବାଦ୍ୟ ଘୁମୁରା ନୃତ୍ୟ ଓ ଗୀତ ମାଧ୍ୟମରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ସମ୍ପର୍କିତ ସଚେତନତାର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା। ଏହି ଘୁମୁରା ଦଳ ଆଗାମୀ ଦିନରେ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବେ ବୋଲି ଜଣାପଡ଼ିଛି। ଏହା ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ୍, ଅଦ୍ୟତନ ଓ ତ୍ରୁଟିମୁକ୍ତ କରିବାରେ ସାଧାରଣ ଜନତାଙ୍କ ସହଯୋଗ ମିଳିବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ