ନବୀନଙ୍କ ଦପ୍ତରରୁ ଫେରିନି ଦୁଇ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ – ନାଇଡୁ କମିଶନ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ ରିପୋର୍ଟ , ଗୁରୁତର ଅଭିଯୋଗ ଆଣିଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ ରିପୋର୍ଟ ନିଖୋଜ ହେବା ଘଟଣାକୁ ନେଇ ରାଜନୈତିକ ତାପମାତ୍ରା ବଢ଼ିଛି। ରାଜସ୍ୱ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହି ପ୍ରସଙ୍ଗରେ ଗୁରୁତର ଅଭିଯୋଗ ଆଣି କହିଛନ୍ତି ଯେ, ନାଇଡୁ କମିଶନ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ ରିପୋର୍ଟ ଗୃହ ବିଭାଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ପଠାଯାଇଥିଲା, କିନ୍ତୁ ସେଗୁଡ଼ିକ ଆଉ ଫେରିନାହିଁ।
ମନ୍ତ୍ରୀ କହିଛନ୍ତି, ତତ୍କାଳୀନ ମୁଖ୍ୟ ସଚିବଙ୍କ ଜରିଆରେ ଏହି ରିପୋର୍ଟଗୁଡ଼ିକ CMOକୁ ପଠାଯାଇଥିବାର ସ୍ପଷ୍ଟ ପ୍ରମାଣ ସରକାରଙ୍କ ପାଖରେ ରହିଛି। ମାତ୍ର ସେଗୁଡ଼ିକ ଫେରିଥିବାର କୌଣସି ରେକର୍ଡ ମିଳୁନାହିଁ। ଯଦି ଫେରିଥାନ୍ତା, ତାହାର ପ୍ରମାଣ ନିଶ୍ଚିତ ଭାବେ ରହିଥାନ୍ତା ବୋଲି ସେ କହିଛନ୍ତି। ଏହି ପରିସ୍ଥିତିରେ ଫାଇଲଗୁଡ଼ିକ ଭୁଲବଶତଃ ନୁହେଁ, ବରଂ ଉଦ୍ଦେଶ୍ୟମୂଳକ ଭାବେ ଅଦୃଶ୍ୟ କରାଯାଇଥିବା ସନ୍ଦେହ ଉପୁଜିଛି।
ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଗୃହ ବିଭାଗର ଜଣେ ଅଧିକାରୀ କ୍ୟାପିଟାଲ ଥାନାରେ ଏତଲା ଦାଖଲ କରିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ, ପୁଲିସ ତଦନ୍ତ ଆରମ୍ଭ ହେବା ପରେ ନିଖୋଜ ଫାଇଲଗୁଡ଼ିକର ସନ୍ଧାନ ମିଳିବ ବୋଲି ସରକାର ଆଶା କରୁଛନ୍ତି। ତଦନ୍ତରେ ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ସରକାର ସମ୍ପୃକ୍ତ ରିପୋର୍ଟଗୁଡ଼ିକୁ ସାର୍ବଜନୀନ କରିବେ ବୋଲି ସେ ସୂଚନା ଦେଇଛନ୍ତି।

