Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଶରୀରର କେଉଁ ଅଙ୍ଗ କେତେ ବୟସ୍କ! ରୋଗ ହେବା ପୂର୍ବରୁ ଦେବ ସତର୍କ ସଙ୍କେତ

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଚମତ୍କାର ଗବେଷଣା ସାମ୍ନାକୁ ଆସିଛି। ଆମେରିକାର ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏଭଳି ଏକ ରକ୍ତଭିତ୍ତିକ ପରୀକ୍ଷା ପଦ୍ଧତି ବିକଶିତ କରିଛନ୍ତି, ଯାହା ମାଧ୍ୟମରେ ଶରୀରର ବିଭିନ୍ନ ଅଙ୍ଗର ଜୈବିକ ବୟସ ଜାଣିହେବ। କେବଳ ସେତିକି ନୁହେଁ, ଆଗାମୀ ବର୍ଷଗୁଡ଼ିକରେ କେଉଁ ଅଙ୍ଗରେ କେଉଁ ରୋଗ ହେବାର ଆଶଙ୍କା ରହିଛି, ତାହା ମଧ୍ୟ ପୂର୍ବରୁ ଅନୁମାନ କରାଯାଇପାରିବ। ଏହି ଅଧ୍ୟୟନରେ ମସ୍ତିଷ୍କ, ହୃଦୟ, ଫୁସଫୁସ, ଯକୃତ, ବୃକ୍କ, ମାଂସପେଶୀ, ଅଗ୍ନ୍ୟାଶୟ, ଅନ୍ତ୍ରନଳୀ ଓ ରୋଗ ପ୍ରତିରୋଧକ ପ୍ରଣାଳୀ ସମେତ ୧୧ଟି ଅଙ୍ଗ ଓ ପ୍ରଣାଳୀକୁ ବିଶ୍ଳେଷଣ କରାଯାଇଛି।

‘ନେଚର ମେଡିସିନ’ ପତ୍ରିକାରେ ପ୍ରକାଶିତ ଏହି ଗବେଷଣା ପାଇଁ ୪୦ରୁ ୭୦ ବର୍ଷ ବୟସର ପ୍ରାୟ ୪୫ ହଜାର ଲୋକଙ୍କ ରକ୍ତ ନମୁନା ଅଧ୍ୟୟନ କରାଯାଇଥିଲା। ବୈଜ୍ଞାନିକମାନେ ରକ୍ତ ପ୍ଲାଜ୍‌ମାରେ ଥିବା ପ୍ରାୟ ୩ ହଜାର ପ୍ରୋଟିନ୍‌ର ବିଶ୍ଳେଷଣ କରି ଏକ ସ୍ୱତନ୍ତ୍ର ଆଲଗୋରିଦମ୍‌ ମାଧ୍ୟମରେ ପ୍ରତ୍ୟେକ ଅଙ୍ଗର ଜୈବିକ ବୟସ ନିର୍ଣ୍ଣୟ କରିଥିଲେ। ଗବେଷକମାନଙ୍କ ମତରେ, ଶରୀରର ପ୍ରକୃତ ବୟସ ଓ ଅଙ୍ଗଗୁଡ଼ିକର ଜୈବିକ ବୟସ ମଧ୍ୟରେ ଅନେକ ସମୟରେ ବଡ଼ ପାର୍ଥକ୍ୟ ଦେଖାଯାଏ।

ଗବେଷଣାରୁ ଆହୁରି ଜଣାପଡ଼ିଛି ଯେ, ଯେଉଁମାନଙ୍କର ମସ୍ତିଷ୍କ ଜୈବିକ ଭାବେ ଅଧିକ ବୃଦ୍ଧ ହୋଇଥାଏ, ସେମାନଙ୍କ କ୍ଷେତ୍ରରେ ଆଲଜାଇମର ରୋଗର ଆଶଙ୍କା ତିନି ଗୁଣରୁ ଅଧିକ ବଢ଼ିଯାଏ। ଅନ୍ୟପକ୍ଷରେ, ଯେଉଁମାନଙ୍କର ମସ୍ତିଷ୍କ ଅଧିକ ସତେଜ ରହିଥାଏ, ସେମାନଙ୍କ ମୃତ୍ୟୁ ଏବଂ ଗୁରୁତର ସ୍ନାୟୁଜନିତ ରୋଗର ଆଶଙ୍କା ଯଥେଷ୍ଟ କମ୍ ଥାଏ। ବୈଜ୍ଞାନିକମାନଙ୍କ ଆଶା, ଏହି ନୂଆ ରକ୍ତ ପରୀକ୍ଷା ପଦ୍ଧତି ଭବିଷ୍ୟତରେ ରୋଗ ଚିହ୍ନଟ ଏବଂ ପ୍ରତିଷେଧକ ଚିକିତ୍ସା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିପାରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ