ଦେଶରେ ଲାଗୁ ହେଲା ନୂଆ ନିୟମ, ପାସପୋର୍ଟ ଫି ହେଲା ମହଙ୍ଗା!
ଆଜିଠାରୁ ଦେଶରେ ଏକାଧିକ ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ, ବ୍ୟାଙ୍କିଂ ବ୍ୟବସ୍ଥା, ସରକାରୀ ସେବା ଏବଂ ଆର୍ଥିକ କାରବାର ଉପରେ ସିଧାସଳଖ ପ୍ରଭାବ ପକାଇବ। ତେବେ କଣ ସେହି ନୂଆ ନିୟମ ତାହା ବିଷୟରେ ଜାଣନ୍ତୁ…
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ ସେବାର ବିଭିନ୍ନ ଫି ବୃଦ୍ଧି କରାଯାଇଛି। ୩୬ ପୃଷ୍ଠା ବିଶିଷ୍ଟ ପାସପୋର୍ଟ ପାଇଁ ଆବେଦନ ଫି ୧୫୦୦ ଟଙ୍କାରୁ ବଢ଼ି ୨୫୦୦ ଟଙ୍କା ହୋଇଛି। ସେହିପରି ୬୦ ପୃଷ୍ଠା ବିଶିଷ୍ଟ ପାସପୋର୍ଟ, ତତ୍କାଳ ସେବା ଏବଂ ଅନ୍ୟାନ୍ୟ ପାସପୋର୍ଟ ସମ୍ବନ୍ଧୀୟ ଶୁଳ୍କରେ ମଧ୍ୟ ସଂଶୋଧନ କରାଯାଇଛି। ଗ୍ରାମୀଣ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା ପାଇଁ ‘ଭିବି ଜି ରାମ ଜି’ ନାମକ ନୂଆ ଯୋଜନା ଲାଗୁ ହେବାର ରହିଛି। ତେବେ ଏହି ଯୋଜନା ମନରେଗାର ବିକଳ୍ପ ଭାବେ କାର୍ଯ୍ୟ କରିବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକୁ ୧୨୫ ଦିନର ରୋଜଗାର ସୁଯୋଗ ଯୋଗାଇବାର ଲକ୍ଷ୍ୟ ରହିଛି।
ବ୍ୟାଙ୍କିଂ କ୍ଷେତ୍ରରେ ମଧ୍ୟ ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିସ୍-ସେଲିଂ ଉପରେ କଡ଼ା ପଦକ୍ଷେପ ନିଆଯିବ | ଯଦି କୌଣସି ବ୍ୟାଙ୍କ ଗ୍ରାହକଙ୍କୁ ଭ୍ରମିତ କରି କୌଣସି ସେବା କିମ୍ବା ଉତ୍ପାଦ ବିକ୍ରି କରେ, ତେବେ ସେହି ବ୍ୟାଙ୍କକୁ ଗ୍ରାହକଙ୍କ ଟଙ୍କା ଫେରସ୍ତ କରିବାକୁ ପଡିବ ଏହାସହ କ୍ଷତିପୂରଣ ମଧ୍ୟ ଦେବାକୁ ପଡ଼ିବ।
ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା ନିକଟରେ ଥିବାରୁ ବିଳମ୍ବରେ ରିଟର୍ଣ୍ଣ ଦାଖଲ କଲେ ଅତିରିକ୍ତ ଜରିମାନା ଦେବାକୁ ପଡ଼ିବ। ଅନ୍ୟପଟେ, ଆଧାର କାର୍ଡରେ ଇ-ମେଲ୍ ଅପଡେଟ୍ ସୁବିଧା ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ମାଗଣାରେ ଉପଲବ୍ଧ ହେବ। ସେହିପରି କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହୋଇଛି। SBI ଓ HDFC ବ୍ୟାଙ୍କ ସେମାନଙ୍କର ରିୱାର୍ଡ ପଏଣ୍ଟ୍, ଲାଉଞ୍ଜ ଆକ୍ସେସ୍ ଏବଂ ଅନ୍ୟାନ୍ୟ ସୁବିଧାର ସର୍ତ୍ତରେ ପରିବର୍ତ୍ତନ କରିଛନ୍ତି, ଯାହା ଗ୍ରାହକଙ୍କ ଉପରେ ପ୍ରଭାବ ପକାଇବ।
ଏହାଛଡ଼ା ପ୍ରତି ମାସ ଭଳି ଏଥର ମଧ୍ୟ LPG ସିଲିଣ୍ଡର ଦରରେ ସଂଶୋଧନ ହେବାର ସମ୍ଭାବନା ରହିଛି। ଘରୋଇ ଓ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଦରରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ସିଧାସଳଖ ଭାବେ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡ଼ିବ।
ସମଗ୍ର ଭାବେ ଦେଖିଲେ, ଆଜିଠାରୁ ଲାଗୁ ହୋଇଥିବା ଏହି ନୂଆ ନିୟମଗୁଡ଼ିକ ଦେଶର ଆର୍ଥିକ ବ୍ୟବସ୍ଥା ଓ ସାଧାରଣ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିବ। ତେଣୁ ଜନସାଧାରଣ ଏହି ପରିବର୍ତ୍ତନ ସମ୍ପର୍କରେ ଅବଗତ ରହିବା ଜରୁରୀ |

