Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ୫୭୯ କୋଟି ଟଙ୍କାର ମହାପ୍ରକଳ୍ପ: ଜୟଦେବ ବିହାର–ନନ୍ଦନକାନନ ୯.୫ କିମି ରାସ୍ତାକୁ ମଞ୍ଜୁରି

ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ବୃହତ୍ତମ ସହରୀ ଭିତ୍ତିଭୂମି ପ୍ରକଳ୍ପ ଭାବେ ପରିଗଣିତ ଦୀର୍ଘ ୯.୫ କିଲୋମିଟର ବିଶିଷ୍ଟ ଜୟଦେବ ବିହାର–ନନ୍ଦନକାନନ ରାସ୍ତା ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ | ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଭୁବନେଶ୍ୱର ଓ କଟକ ମଧ୍ୟରେ ଯାତାୟାତ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବ।

ଏଥି ପାଇଁ ୫୭୯ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର। ଏହି କରିଡର କଳିଙ୍ଗ ଷ୍ଟାଡିୟମର ୪ ନମ୍ବର ଗେଟ୍‌ରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ବିସ୍ତାରିତ ହେବ। ବର୍ତ୍ତମାନର ୬-ଲେନ୍ ରାସ୍ତାକୁ ୮-ଲେନ୍‌ରେ ପ୍ରଶସ୍ତ କରାଯିବ, ଏହା ସହ ସର୍ଭିସ୍ ରୋଡ୍ ଓ ଆଧୁନିକ ଟ୍ରାଫିକ୍ ବ୍ୟବସ୍ଥା ନିର୍ମାଣ କରାଯିବ।

ଏହି ପ୍ରକଳ୍ପର ମୁଖ୍ୟ ଆକର୍ଷଣ ହେଉଛି ଚାରିଟି ଫ୍ଲାଏଓଭର ନିର୍ମାଣ। ଏଥିରେ ଜୟଦେବ ବିହାରରେ କେବୁଲ୍-ଷ୍ଟେଡ୍ ବ୍ରିଜ୍, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଏବଂ କିଟ୍ ଛକରେ ଫ୍ଲାଏଓଭର ନିର୍ମାଣ ସହ କଳାରାହାଙ୍କ ଜଙ୍କସନର ଉନ୍ନତୀକରଣ କରାଯିବ। ଏହା ବ୍ୟତୀତ ପ୍ରକଳ୍ପରେ ସର୍ଭିସ୍ ରୋଡ୍, ସ୍ଲିପ୍ ରୋଡ୍, ପଦଯାତ୍ରୀଙ୍କ ପାଇଁ ସବୱେ, ଭୂତଳ ପାର୍କିଂ, ଡ୍ରେନେଜ୍ ବ୍ୟବସ୍ଥା, ବ୍ରିଜ୍, ରାଉଣ୍ଡଅବାଉଟ୍, ସଡ଼କ ସୁରକ୍ଷା ବ୍ୟବସ୍ଥା, ଷ୍ଟ୍ରିଟ୍ ଲାଇଟ୍, ସୌନ୍ଦର୍ଯ୍ୟକରଣ ଏବଂ ରାସ୍ତା ପାର୍ଶ୍ୱରେ ବୃକ୍ଷରୋପଣ କରାଯିବ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ ,ଏହି କରିଡର ବାରଙ୍ଗ ଦେଇ ଭୁବନେଶ୍ୱର ଓ କଟକ ମଧ୍ୟରେ ପ୍ରମୁଖ ସଂଯୋଗ ପଥ ଭାବେ କାମ କରିବ। ଏହା ଫଳରେ ଟ୍ରାଫିକ୍ ଜାମ୍ କମିବା ସହ ଯାତ୍ରା ସମୟ ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ। ଏଥିସହ ପ୍ରମୁଖ ଆବାସିକ ଅଞ୍ଚଳ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ କେନ୍ଦ୍ର ଓ ବ୍ୟବସାୟିକ ହବ୍‌ଗୁଡ଼ିକ ସହ ସଂଯୋଗ ଆହୁରି ସୁଦୃଢ଼ ହେବ।

ଦୁର୍ଘଟଣା ହ୍ରାସ କରିବା , ସଡ଼କ ସୁରକ୍ଷା ବଢ଼ାଇବା ଏବଂ ପଦଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପକୁ ନିର୍ମାଣ କରିବାକୁ ଚିନ୍ତା କରିଛନ୍ତି ସରକାର | ଏହା ଭୁବନେଶ୍ୱରର ଦୀର୍ଘମିଆଦି ସହରୀ ଯାତାୟାତ ଓ ବିକାଶ ଯୋଜନାକୁ ମଧ୍ୟ ସହାୟତା କରିବ। ତେବେ ଏହି ପ୍ରକଳ୍ପର ନିର୍ମାଣ ସମୟ ମଧ୍ୟରେ ରାସ୍ତା ପାର୍ଶ୍ୱରେ କରାଯିବାକୁ ଥିବା ବୃକ୍ଷରୋପଣର ରକ୍ଷଣାବେକ୍ଷଣ ମଧ୍ୟ ଠିକା ସଂସ୍ଥା ଦ୍ୱାରା କରାଯିବ, ଯାହା ଦ୍ୱାରା ପ୍ରକଳ୍ପର ଦୀର୍ଘସ୍ଥାୟୀ ଗୁଣବତ୍ତା ଓ ସୌନ୍ଦର୍ଯ୍ୟ ବଜାୟ ରହିବ ବୋଲି ସରକାର କହିଛନ୍ତି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ