Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂ ଶୀର୍ଷରେ ପ୍ରେମ ପ୍ରସ୍ତାବ, ଗିରଫ ହେଲେ ରୁଷୀୟ ଯୁବକ-ଯୁବତୀ

ନ୍ୟୁୟର୍କ ସହରର ପ୍ରସିଦ୍ଧ ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂର ଶୀର୍ଷକୁ ଅନଧିକୃତ ଭାବେ ଚଢ଼ି ପ୍ରେମ ପ୍ରସ୍ତାବ ଦେଇଥିବା ଜଣେ ରୁଷୀୟ ଯୁବକ ଓ ଯୁବତୀଙ୍କୁ ପୁଲିସ ଗିରଫ କରିଛି। ୩୨ ବର୍ଷୀୟ ଇଭାନ ବିର୍କୁସ୍ ବିଲ୍ଡିଂର ଶୀର୍ଷରେ ଆଣ୍ଠୁ ମାଡ଼ି ୩୩ ବର୍ଷୀୟ ଆଞ୍ଜେଲା ନିକୋଲାଉଙ୍କୁ ମୁଦି ପିନ୍ଧାଇ ବିବାହ ପ୍ରସ୍ତାବ ଦେଇଥିବା ବେଳେ ଉଭୟ ପରସ୍ପରକୁ ଚୁମ୍ବନ କରିଥିଲେ। ସେମାନେ ପ୍ରାୟ ୧୦ ମିନିଟ୍‌ ଧରି ୧,୪୫୪ ଫୁଟ୍‌ ଉଚ୍ଚ ବିଲ୍ଡିଂର ଶୀର୍ଷରେ ରହିଥିଲେ।

ଏହି ସମୟରେ ଉଭୟ ବିଲ୍ଡିଂର ଶିଖରରେ ଏକ ବଡ଼ ବ୍ୟାନର ମଧ୍ୟ ଉନ୍ମୋଚନ କରିଥିଲେ। ସେଥିରେ ଲେଖା ଥିଲା, “When the power of love beats the love of power the world knows peace” ପରେ ତଳକୁ ଓହ୍ଲାଇବା ସହିତ ପୁଲିସ ସେମାନଙ୍କୁ ଅଟକ ରଖିଥିଲା। ସେମାନଙ୍କ ବିରୋଧରେ ଅନଧିକୃତ ପ୍ରବେଶ, ବିପଦ ସୃଷ୍ଟି, ସମ୍ପତ୍ତି କ୍ଷତି, ଓ ସାର୍ବଜନୀନ ଶୃଙ୍ଖଳା ଭଙ୍ଗ ଭଳି ଏକାଧିକ ମାମଲା ରୁଜୁ କରାଯାଇଛି।

ନ୍ୟୁୟର୍କ ପୁଲିସ କମିଶନର ଜେସିକା ଟିଶ୍ ଘଟଣାର ବଡିକ୍ୟାମ୍ ଭିଡିଓ ପ୍ରକାଶ କରିଛନ୍ତି। ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂ ପକ୍ଷରୁ କୁହାଯାଇଛି ଯେ, ଏହି ଅନଧିକୃତ ଘଟଣାରେ ଲୋକଙ୍କ ସୁରକ୍ଷା ପ୍ରତି କୌଣସି ବିପଦ ସୃଷ୍ଟି ହୋଇନଥିଲା। ମସ୍କୋର ମୂଳ ବାସିନ୍ଦା ଇଭାନ ଓ ଆଞ୍ଜେଲା ବର୍ତ୍ତମାନ ନ୍ୟୁଜର୍ସିରେ ବସବାସ କରୁଛନ୍ତି। ସେମାନଙ୍କ ଦୁଃସାହସିକ ଉଚ୍ଚସ୍ଥାନ ଆରୋହଣ ଓ ପ୍ରେମ କାହାଣୀ ଉପରେ ନିର୍ମିତ “Skywalkers: A Love Story” ନାମକ ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ୨୦୨୪ରେ ମୁକ୍ତିଲାଭ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ