ପୁଣି ଗତି ଧରିଲା ବୁଲେଟ୍ ଟ୍ରେନ୍ ପ୍ରକଳ୍ପ, ପୂର୍ବ ସରକାରକୁ ଦାୟୀ କଲେ ପୀୟୂଷ ଗୋୟଲ
ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ତିନି ଦିନିଆ ଭାରତ ଗସ୍ତ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ୧୬ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ଭାରତ-ଜାପାନ ମଧ୍ୟରେ ବାଣିଜ୍ୟ ଓ ରଣନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବା ଉପରେ ଆଲୋଚନା ହୋଇଛି। ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଭାରତ ଜାପାନ ସହ ବାଣିଜ୍ୟ ଓ ପୁଞ୍ଜିନିବେଶ ସମ୍ପର୍କକୁ ନୂଆ ସ୍ତରକୁ ନେବାକୁ ପ୍ରତିବଦ୍ଧ ଅଛି।
ସେ ଆହୁରି କହିଛନ୍ତିଯେ, ଜାପାନ ଭାରତର ବିକାଶରେ ଦୀର୍ଘ ଦିନ ଧରି ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଆସୁଛି। ମାରୁତି ସୁଜୁକି ଭଳି କମ୍ପାନୀ ଭାରତର ଅଟୋମୋବାଇଲ୍ କ୍ଷେତ୍ରକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ବଡ଼ ଭୂମିକା ନେଇଛି। ସେହିପରି ଓଡ଼ିଶାରେ ଜାପାନର ସହଯୋଗରେ ନିର୍ମିତ ପ୍ରଥମ ଡେଡିକେଟେଡ୍ ଫ୍ରେଟ୍ କରିଡୋର ଲୁହାପଥର ପରିବହନକୁ ସହଜ କରିଥିବା ସେ କହିଛନ୍ତି। ଭାରତ ବର୍ତ୍ତମାନ ଜାପାନକୁ ଉଚ୍ଚମାନର ଅଟୋ ପାର୍ଟସ୍, ଇଲେକ୍ଟ୍ରୋନିକ୍ ଉପାଦାନ ଓ ପ୍ରିସିଜନ୍ ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି କରୁଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ମୁମ୍ବାଇ-ଅହମ୍ମଦାବାଦ ୫୦୮ କିଲୋମିଟର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ସମ୍ପର୍କରେ ପୀୟୂଷ ଗୋୟଲ କହିଛନ୍ତି ଯେ ମହାରାଷ୍ଟ୍ରର ପୂର୍ବତନ ମହା ବିକାସ ଆଘାଡ଼ୀ (ଏମ୍ଭିଏ) ସରକାର ଜମି ଅଧିଗ୍ରହଣରେ ବିଳମ୍ବ କରିଥିବାରୁ ଏହି ପ୍ରକଳ୍ପର କାମ ବାଧାପ୍ରାପ୍ତ ହୋଇଥିଲା। ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ସରକାର ଆବଶ୍ୟକ ଜମି ହସ୍ତାନ୍ତର କରିଥିବାରୁ ପ୍ରକଳ୍ପ ପୁଣି ଥରେ ଆଗକୁ ବଢିଛି ଏବଂ ୨୦୨୯ ସୁଦ୍ଧା ଏହା ଶେଷ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହାସହ ଜାପାନର ବୃଦ୍ଧ ଜନସଂଖ୍ୟାଙ୍କ ସେବା ପାଇଁ ଭାରତୀୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବିପୁଳ ସୁଯୋଗ ରହିଥିବା ବେଳେ ଜାପାନୀ ଭାଷା ଓ ସଂସ୍କୃତିର ଜ୍ଞାନ ଥିଲେ ସେମାନେ ଅଧିକ ସୁବିଧା ପାଇପାରିବେ ବୋଲି ଗୋୟଲ କହିଛନ୍ତି।

