ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ିଲା ଓଡ଼ିଶା ଇଭି ପଲିସିର ଅବଧି
ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ ଯାନ (ଇଭି) ବ୍ୟବହାରକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ‘ଓଡ଼ିଶା ଇଲେକ୍ଟ୍ରିକ୍ ଭେଇକିଲ୍ ପଲିସି-୨୦୨୧’ର ଅବଧିକୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ଦ୍ୱାରା ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ମିଳିବ।
୨୦୨୧ରେ ଆରମ୍ଭ ହୋଇଥିବା ଏହି ପଲିସି ଇଲେକ୍ଟ୍ରିକ୍ ଯାନ କ୍ରେତା ଏବଂ ଉତ୍ପାଦନକାରୀ ସଂସ୍ଥାମାନଙ୍କ ପାଇଁ ବେଶ୍ ଲାଭଦାୟକ ସାବ୍ୟସ୍ତ ହୋଇଛି। ଏହାର ଅବଧି ବୃଦ୍ଧି ଫଳରେ ଅଧିକ ସଂଖ୍ୟକ ଲୋକ ଇଭି କିଣିବାକୁ ଉତ୍ସାହିତ ହେବେ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ପଲିସିର ଅବଧି ବୃଦ୍ଧି ସହ ଇଲେକ୍ଟ୍ରିକ୍ ଯାନ କ୍ରୟକାରୀମାନେ ପୂର୍ବଭଳି ସରକାରୀ ସବ୍ସିଡି, ପଞ୍ଜୀକରଣ ଶୁଳ୍କରେ ଛାଡ଼ ଏବଂ ସଡ଼କ ଟିକସରୁ ମୁକ୍ତି ଭଳି ସୁବିଧା ପାଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାରକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି।

