ମୁମ୍ବାଇରେ ବର୍ଷାର ତାଣ୍ଡବ, ଖୋଲା ମ୍ୟାନହୋଲରେ ପଡ଼ି ଯୁବକଙ୍କ ମୃତ୍ୟୁ
ମୁମ୍ବାଇରେ ଲଗାଣ ବର୍ଷା ମଧ୍ୟରେ ଏକ ଦୁଃଖଦ ଘଟଣା ଘଟିଛି। ଗୁରୁବାର ଦିନ ଖୈରାନି ରୋଡ୍ରେ ମୋବାଇଲରେ କଥା ହେଉଥିବା ବେଳେ ଜଣେ ବ୍ୟକ୍ତି ଖୋଲା ମ୍ୟାନହୋଲରେ ପଡ଼ି ପ୍ରବଳ ସ୍ରୋତରେ ଭାସିଯାଇଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଖୋଜାଖୋଜି ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ମୃତକଙ୍କୁ ଅସଲମ ଇସାଫ୍ ଶେଖ୍ ଭାବେ ଚିହ୍ନଟ କରାଯାଇଛି। ଘଟଣାସ୍ଥଳରୁ ମୃତକଙ୍କ ଛତା ଓ ଚପଲ ମିଳିଛି। ମୁମ୍ବାଇ ଅଗ୍ନିଶମ ବାହିନୀ, ପୋଲିସ ଓ ୧୦୮ ଆମ୍ବୁଲାନ୍ସ ସେବାର ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଅଧିକାରୀଙ୍କ କହିବା ଅନୁସାରେ, ଏକ ଘରୋଇ ଠିକାଦାରଙ୍କ ମରାମତି କାମ ପାଇଁ ମ୍ୟାନହୋଲର ଢାଙ୍କୁଣି ଖୋଲା ରହିଥିଲା। ଏହି ଘଟଣାରେ ସମ୍ପୃକ୍ତ ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ବିଏମ୍ସି ଉପମେୟର ସଞ୍ଜୟ ଘାଡ଼ି ସୂଚନା ଦେଇଛନ୍ତି।
ଏପଟେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ଦାଦର, ପରେଲ, ୱର୍ଲି, ଅନ୍ଧେରି, ଗୋରେଗାଓଁ ସମେତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଗତ ୨୪ ଘଣ୍ଟାରେ ସହରର ଅନେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଭାରତୀୟ ପାଣିପାଗ ବିଭାଗ ଆଗାମୀ କିଛି ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ଓ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସତର୍କତା ଜାରି କରିଛି।

