ମାଝୀଗୁଡା ଗ୍ରାମ ରେ ବେଆଇନ ଜବରଦଖଲ ଯୋଗୁ ରାସ୍ତା ନିର୍ମାଣ କାର୍ଯ୍ୟ ବାଧକ,ଦଖଲ ଉଚ୍ଛେଦ ନେଇ ତହସିଲଦାର ଶୁଣାଣି ।
କଳାହାଣ୍ଡି,,୦୨/୦୭
କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅନ୍ତର୍ଗତ ମାଝୀଗୁଡା ଗ୍ରାମ ଦେଇ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାନଧିନ କୋକସରା ଠାରୁ ମାଝୀଗୁଡା,ମହିମା, ଭୁର୍ଷାଗୁଡା,ଘଣ୍ଟିଗୁଡା,ଖଲିଗଡ଼ ଦେଇ ଡୋକରିଚଞ୍ଚରା କୁ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ତେବେ ମାଝୀଗୁଡା ଗ୍ରାମ ରାସ୍ତା ଦୁଇ କଡ଼ ରେ ଥିବା କିଛି ଜୈନିକ ବ୍ୟକ୍ତି ବିଶେଷ ରାସ୍ତା କଡର ଜମି ଜବରଦଖଲ କରି ରଖିଛନ୍ତି।ଫଳରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ବାଧା ସୃଷ୍ଟି ହେଉଛି। ଏନେଇ ମାଝୀଗୁଡା ଗ୍ରାମ ର କିଛି ସଚେତନ ନାଗରିକ ରଣସାଏ ନାଏକ,ଧବଳେଶ୍ବର ନାଗ,ପଞ୍ଚକ ପୋଢ଼, ଚିତ୍ରସେନ ନାଏକ, ଲୋକେଶ ନାଏକ, ପ୍ରକାଶ ଚନ୍ଦ୍ର ଚୌଧୁରୀ,ପରମେଶ୍ବର ନାଏକ,ଜୟ ନାରାୟଣ ନାଏକ ପ୍ରମୁଖ କୋକସରା ତହସିଲଦାର ଙ୍କୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ଲିଖିତ ଅଭିଯୋଗ କରିଥିଲେ। ଘଟଣା କୁ ଗୁରୁତ୍ୱ ଦେଇ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଜବରଦଖଲ କରିଥିବା ଜୈନିକ ବ୍ୟକ୍ତି ମାନଙ୍କୁ ନୋଟିସ ଜାରି କରିବା ସହ ଗତ ଦିନ ୩୦ ତାରିଖ ଦିନ କୋକସରା ତହସିଲଦାର ଚୋଡ଼ଗଙ୍ଗ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମାଝୀଗୁଡା ପଂଚାୟତ ରେ ଏକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେଆଇନ ଭାବେ ଜବରଦଖଲ କରିଥିବା ବ୍ୟକ୍ତି ଙ୍କୁ ୭ ଦିନ ମଧ୍ୟରେ ରାସ୍ତା ନିର୍ମାଣ ରେ ସହଯୋଗ କରିବା ସହ ବେଆଇନ ଭାବେ ଦଖଲ କରିଥିବା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଯଦି ଏଥିରେ ବ୍ୟତିକ୍ରମ ହୁଏ ତାହେଲେ ସରକାରୀ ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

