ଇସ୍ରୋ ମୁଖ୍ୟାଳୟକୁ ବୋମା ଧମକ, ପୋଲିସର ଛାନଭିନ୍
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ବେଙ୍ଗାଲୁରୁସ୍ଥିତ ମୁଖ୍ୟାଳୟକୁ ଗୁରୁବାର ଏକ ବୋମା ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ ହୋଇଛି । ଘଟଣା ପରେ ପୋଲିସ, ବମ୍ ସ୍କ୍ୱାଡ୍ ଓ ଅନ୍ୟାନ୍ୟ ସୁରକ୍ଷାକର୍ମୀ ଇସ୍ରୋ ପରିସରରେ ଯାଞ୍ଚ ଆରମ୍ଭ କରିଛନ୍ତି ।
ପୋଲିସ ସୂଚନା ଅନୁସାରେ, ଇସ୍ରୋ ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନଙ୍କ କାର୍ଯ୍ୟାଳୟକୁ ଇ-ମେଲ୍ ଜରିଆରେ ଏହି ଧମକପୂର୍ଣ୍ଣ ବାର୍ତ୍ତା ଆସିଥିଲା । ଖବର ମିଳିବା ପରେ ସମଗ୍ର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ଦୀର୍ଘ ସମୟ ଧରି ତଲାସି ଚାଲିଥିଲା। ତେବେ ଯାଞ୍ଚ ଶେଷରେ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ମିଳିନଥିବା ପୋଲିସ ସ୍ପଷ୍ଟ କରିଛି।
ଏହି ଧମକପୂର୍ଣ୍ଣ ଇ-ମେଲ୍ର ପଠାଇଥିବା ସନ୍ଦିଗ୍ଧ ବ୍ୟକ୍ତିକୁ ଚିହ୍ନଟ କରିବା ସହ ଏହା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସର ଏକାଧିକ ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଇ-ମେଲ୍ଟି ଦେଶ ଭିତରୁ ନା ବିଦେଶରୁ ପଠାଯାଇଛି, ସେନେଇ ମଧ୍ୟ ତଦନ୍ତ ଚାଲିଛି। ଉଲ୍ଲେଖଯୋଗ୍ୟ, ତେବେ ଏହା ପୂର୍ବରୁ ଅନେକ ଥର ଦିଲ୍ଲୀର ଏକାଧିକ ସ୍କୁଲକୁ ମଧ୍ୟ ସମାନ ଧରଣର ବୋମା ଧମକପୂର୍ଣ୍ଣ ଇ-ମେଲ୍ ପଠାଯାଇଥିଲା। ପରବର୍ତ୍ତୀ ଯାଞ୍ଚରେ ସେଗୁଡ଼ିକ ଏକ ପ୍ରକାରର ଗୁଜବ ବୋଲି ଜଣାପଡ଼ିଥିଲା ତଥାପି ସ୍କୁଲର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

