ରାଜ୍ୟରେ ସୁଦୃଢ଼ ହେବ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା, ୪ ସହରରେ ଲାଗିବ ଡପଲର୍ ରାଡାର
ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଏଥିପାଇଁ ସମ୍ବଲପୁର, ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ଅତ୍ୟାଧୁନିକ ଡପଲର୍ ରାଡାର ସ୍ଥାପନ କରାଯିବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ପ୍ରାକୃତିକ ବିପର୍ଯ୍ୟୟର ସଠିକ୍ ଆକଳନ ଓ ପୂର୍ବାନୁମାନକୁ ଆହୁରି ସଠିକ୍ କରିବା ପାଇଁ ଖୁବ୍ ଶୀଘ୍ର ଏହି ଚାରିଟି ସହରରେ ଡପଲର୍ ରାଡାର ପ୍ରତିଷ୍ଠା କରାଯିବ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ପାଣ୍ଠି କିମ୍ବା ସୁବିଧାସୁଯୋଗର କୌଣସି ଅଭାବ ରହିବ ନାହିଁ। ଏହାସହ ରାଜ୍ୟରେ ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟ କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

