ଆଜି ଓଡ଼ିଶା କଂଗ୍ରେସ PAC ବୈଠକ, ଆଗାମୀ ରଣନୀତି ଉପରେ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଆଜି ଓଡ଼ିଶା କଂଗ୍ରେସ ପାଇଁ ଦିନଟି ବେଶ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟ କଂଗ୍ରେସର ରାଜନୈତିକ ବ୍ୟାପାର କମିଟି (PAC)ର ବୈଠକ ଆଜି ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟ ପ୍ରଭାରୀ ଲାଲଜି ଦେଶାଇ ଅଧ୍ୟକ୍ଷତା କରିବେ। ବୈଠକରେ ଦଳର ବର୍ତ୍ତମାନ ରାଜନୈତିକ ସ୍ଥିତି, ପୂର୍ବ ନିଷ୍ପତ୍ତିର କାର୍ଯ୍ୟାନ୍ୱୟନ ଏବଂ ଆଗାମୀ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହେବ।
ବୈଠକରେ PAC ସଦସ୍ୟମାନଙ୍କ ସହ ପୂର୍ବରୁ ଗ୍ରହଣ କରାଯାଇଥିବା ରାଜନୈତିକ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରାଯିବ। କେଉଁ ପ୍ରସ୍ତାବ କେତେଦୂର କାର୍ଯ୍ୟକାରୀ ହୋଇଛି ଏବଂ ତାହାର ପ୍ରଭାବ କିପରି ରହିଛି, ସେନେଇ ଚର୍ଚ୍ଚା ହେବ। ଏହାସହ ଆଗାମୀ ଦିନରେ ଦଳ କେଉଁ ମୁଖ୍ୟ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବ, ସେ ସମ୍ପର୍କରେ ନେତାମାନଙ୍କ ମତାମତ ଗ୍ରହଣ କରାଯିବ।
ଆଗକୁ ପଞ୍ଚାୟତ ନିର୍ବାଚନ ରହିଛି , ତେଣୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ କରାଯିବ | ଏହାସହ ତୃଣମୂଳ ଏବଂ ଜିଲ୍ଲା ସ୍ତରରେ ଦଳକୁ ସକ୍ରିୟ କରିବା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯିବ। ବୈଠକ ପରେ ବରିଷ୍ଠ ନେତାମାନଙ୍କ ସହ ପୃଥକ ଆଲୋଚନା ହେବ। ବିଧାୟକ ଦଳ, PCC ଓ PAC ମଧ୍ୟରେ ସମନ୍ୱୟକୁ ଆହୁରି ମଜବୁତ କରିବା ସହ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ଆଗାମୀ ରାଜନୈତିକ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯିବ।

