ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ୪୦ ବର୍ଷ ପରେ ଐତିହାସିକ ଯାତ୍ରା
ଆସନ୍ତା ଜୁଲାଇ ୧୦ ତାରିଖରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ସରକାରୀ ଗସ୍ତରେ ନ୍ୟୁଜିଲାଣ୍ଡ ଯିବେ। ଏନେଇ ଶୁକ୍ରବାର ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ସୂଚନା ଦେଇଛନ୍ତି। ତେବେ ଗତ ୪୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ |
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବା ପରେ ଏହା ମୋଦୀଙ୍କର ପ୍ରଥମ ନ୍ୟୁଜିଲାଣ୍ଡ ଗସ୍ତ ହେବ।
ଚଳିତ ବର୍ଷ ଏପ୍ରିଲରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ ନ୍ୟୁଜିଲାଣ୍ଡରୁ ଆସୁଥିବା ୯୫ ପ୍ରତିଶତ ସାମଗ୍ରୀ ଉପରୁ ଶୁଳ୍କ ହଟାଯିବ। ୨୦୨୪-୨୫ ମସିହାରେ ଉଭୟ ଦେଶ ମଧ୍ୟରେ ପଣ୍ୟ ବାଣିଜ୍ୟର ପରିମାଣ ୧.୩ ବିଲିୟନ ଡଲାର ଥିବାବେଳେ, ପଣ୍ୟ ଓ ସେବାକୁ ମିଶାଇ ମୋଟ ବାଣିଜ୍ୟ ପ୍ରାୟ ୨.୪ ବିଲିୟନ ଡଲାରରେ ପହଞ୍ଚିଥିଲା। ଭ୍ରମଣ, ସୂଚନା ପ୍ରଯୁକ୍ତି ଏବଂ ବ୍ୟବସାୟିକ ସେବା କ୍ଷେତ୍ର ଏଥିରେ ପ୍ରମୁଖ ଭୂମିକା ନେଇଛି।
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ମୋଦୀ ଜୁଲାଇ ୧୦ ତାରିଖରେ ଅକଲାଣ୍ଡରେ ପହଞ୍ଚିବେ ଏବଂ ପରଦିନ ଭାରତ ଭାରତ ଫେରିବା ନେଇ ସୂଚନା ରହିଛି । ଖ୍ରୀଷ୍ଟୋଫର ଲକ୍ସନ କହିଛନ୍ତିଯେ, ଏହି ଗସ୍ତ ଭାରତ-ନ୍ୟୁଜିଲାଣ୍ଡ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବାଣିଜ୍ୟ, ପୁଞ୍ଜିନିବେଶ, ସାମୁଦ୍ରିକ ସୁରକ୍ଷା, ଶିକ୍ଷା, ପ୍ରଯୁକ୍ତି, ପର୍ଯ୍ୟଟନ, କ୍ରୀଡ଼ା ଏବଂ ବିଶ୍ୱସ୍ତରୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ। ଉଭୟ ଦେଶର ଲୋକଙ୍କ ପାଇଁ ଅଧିକ ସମୃଦ୍ଧି ଓ ସୁରକ୍ଷା ନିଶ୍ଚିତ କରିବା ଦିଗରେ ଏହି ଗସ୍ତ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି |

