Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇରାନର ମୁଖ୍ୟ ଆଲୋଚନାକାରୀଙ୍କୁ ହତ୍ୟା କରିବାକୁ ଇସ୍ରାଏଲ ରଚିଥିଲା ଷଡ଼ଯନ୍ତ୍ର ! ଆମେରିକାର ହସ୍ତକ୍ଷେପରେ ବିଫଳ ହେଲା ଯୋଜନା

ଯୁଦ୍ଧବିରତି ଆଲୋଚନା ସମୟରେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ଏବଂ ସଂସଦ ବାଚସ୍ପତି ମହମ୍ମଦ ବାଘେର ଘାଲିବାଫଙ୍କୁ ହତ୍ୟା କରିବା ପାଇଁ ଇସ୍ରାଏଲ ଯୋଜନା କରିଥିବା ଖବର ସୂଚନା ମିଳିଛି |ଏହି ଯୋଜନା ସମ୍ପର୍କରେ ଜାଣିବା ପରେ ଆମେରିକା ମଧ୍ୟପ୍ରାଚ୍ୟରେ ଥିବା ନିଜର ସହଯୋଗୀ ଦେଶମାନଙ୍କ ମାଧ୍ୟମରେ ଇରାନକୁ ସତର୍କ କରିଥିଲା। ଏପରି ଆକ୍ରମଣ ହେଲେ ଶାନ୍ତି ଆଲୋଚନା ଭାଙ୍ଗିଯିବା ସହ ଗଲ୍ଫ ଅଞ୍ଚଳରେ ପୁଣିଥରେ ସଂଘର୍ଷ ତୀବ୍ର ହେବ ବୋଲି ୱାଶିଂଟନ ଆଶଙ୍କା କରୁଥିଲା।

ରିପୋର୍ଟ ଅନୁଯାୟୀ, ଫେବୃଆରି ୨୮ରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରଠାରୁ ଇସ୍ରାଏଲ ଇରାନର ଶୀର୍ଷ ନେତୃତ୍ୱକୁ ଟାର୍ଗେଟ କରିଆସୁଥିଲା। ସର୍ବୋଚ୍ଚ ନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ସୁରକ୍ଷା ଅଧିକାରୀ ପର୍ଯ୍ୟନ୍ତ ଅନେକ ନେତା ଇସ୍ରାଏଲର ଆକ୍ରମଣରେ ପ୍ରାଣ ହରାଇଥିବା ଦାବି କରାଯାଇଛି। ତେବେ ଆରାଘଚି ଓ ଘାଲିବାଫ ଆମେରିକା ସହ ପରମାଣୁ କାର୍ଯ୍ୟକ୍ରମ ଏବଂ ହର୍ମୁଜ୍ ସମୁଦ୍ର ପ୍ରଣାଳୀକୁ ନେଇ ଆଲୋଚନାର ମୁଖ୍ୟ ପ୍ରତିନିଧି ଥିବାରୁ ସେମାନଙ୍କ ହତ୍ୟା ଶାନ୍ତି ପ୍ରକ୍ରିୟାକୁ ବିଫଳ କରିପାରେ ବୋଲି ଆମେରିକା ମନେ କରୁଥିଲା।

ତେବେ ଆଲୋଚନା ସମୟରେ ଇରାନ ନିଜ ପ୍ରତିନିଧି ଦଳର ସୁରକ୍ଷାକୁ କଡ଼ାକଡ଼ି କରିଥିଲା। ପାକିସ୍ତାନରେ ଆମେରିକୀୟ ଉପରାଷ୍ଟ୍ରପତି ଜେ.ଡି. ଭାନ୍ସଙ୍କ ସହ ବୈଠକ ପାଇଁ ଯିବାବେଳେ ପାକିସ୍ତାନୀ ଯୁଦ୍ଧ ବିମାନ ଇରାନୀ ପ୍ରତିନିଧି ଦଳର ବିମାନକୁ ସୁରକ୍ଷା ଦେଇଥିଲା। ଫେରିବା ସମୟରେ ଇସ୍ରାଏଲ ପକ୍ଷରୁ ସୁରକ୍ଷା ବିପଦ ସୃଷ୍ଟି ହେବାରୁ ବିମାନକୁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଏହି ଘଟଣା ଆମେରିକା ଓ ଇସ୍ରାଏଲର ସମ୍ପର୍କରେ ବଡ ପ୍ରଭାବ ପକାଇଛି | ଏବେ ଦୁଇ ଦେଶର ଆଉ ମତ ମିଶୁନାହିଁ | କେଉଁଠି ନା କେଉଁଠି ଏବେ ଦୁଇ ଦେଶ ପରସ୍ପରର ବିପକ୍ଷରେ ଥିବା ଭଳି ଅନୁଭବ ହେଉଛି | କାରଣ ପୂର୍ବରୁ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନାକୁ ଆମେରିକା ଇନ୍ଧନ ଦେଉଥିବା ନେଇ ଆଲୋଚନା ଜୋର ଧରିଥିଲା | ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ମୃତ୍ୟୁକୁ ନେଇ ଇରାନ ଆମେରିକା ଉପରେ ଆକ୍ରମଣ କରିଥିଲା | ଯୁଦ୍ଧ ଦୀର୍ଘ ଦିନ ଧରି ଲାଗି ରହିଥିଲା | ଦୁଇ ଦେଶ ମଧ୍ୟରେ ଯୁଦ୍ଧର ଶାନ୍ତି ପାଇଁ ମଧ୍ୟ ଆଲୋଚନା ହୋଇଛି | କିନ୍ତୁ ଏବେ ଆମେରିକା ଯୁଦ୍ଧବିରତି ଓ ଆଲୋଚନାକୁ ଗୁରୁତ୍ୱ ଦେଉଥିବା ବେଳେ ଇସ୍ରାଏଲ ଇରାନ ଉପରେ ସାମରିକ ଚାପ ଜାରି ରଖିବାକୁ ଚାହୁଁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ