ପାରାଦୀପ ଓ ଗୋପାଳପୁରରେ ହେବ ୬୭ ହଜାର କୋଟିର ୩ ମେଗା ପ୍ରକଳ୍ପ, ସୃଷ୍ଟି ହେବ ୭,୬୦୦ ନିଯୁକ୍ତି
ଓଡ଼ିଶାରେ ସବୁଜ ଶିଳ୍ପାୟନର ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଜାପାନର ACME ଗ୍ରୁପ୍ ଓ IHI କର୍ପୋରେସନ୍ ସହ ଏକ ସହଯୋଗ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଏହି ଚୁକ୍ତି ଅନୁଯାୟୀ, ପାରାଦୀପ ଓ ଗୋପାଳପୁରରେ ୩ଟି ବୃହତ୍ ଗ୍ରୀନ୍ ଏନର୍ଜି ପ୍ରକଳ୍ପ ସ୍ଥାପନ କରାଯିବ। ଏଥିରେ ମୋଟ ୬୭ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ ୭,୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଜି ଲୋକସେବା ଭବନର କନଭେନସନ୍ ସେଣ୍ଟରଠାରେ ଜାପାନର ବିଜିନେସ୍ ଡେଲିଗେଟ୍ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଓଡିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ବିଶେଷକରି ସବୁଜ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାକୁ ପ୍ରଯୁକ୍ତି, ନବସୃଜନ ଓ ସବୁଜ ଅର୍ଥନୀତି ଆଧାରିତ ଏକ ବିଶ୍ୱସ୍ତରୀୟ ଶିଳ୍ପ କେନ୍ଦ୍ରରେ ପରିଣତ କରାଯିବ।
ଏହି ଚୁକ୍ତି ଅନୁଯାୟୀ ଗୋପାଳପୁରରେ ୨୦ ହଜାର କୋଟି ଟଙ୍କା ବିନିଯୋଗରେ ୦.୪ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ସ୍ଥାପନ କରାଯିବ। ଏଥିସହ ୧ ହଜାର କୋଟି ଟଙ୍କା ବ୍ୟୟରେ ଏକ ଫ୍ଲୋଟିଂ ଟର୍ମିନାଲ୍ ନିର୍ମାଣ କରାଯିବ, ଯାହା ଦ୍ୱାରା ୩,୪୦୦ ଜଣଙ୍କୁ ନିଯୁକ୍ତି ମିଳିବ। ସେହିପରି ପାରାଦୀପରେ ୩୪ ହଜାର କୋଟି ଟଙ୍କା ବିନିଯୋଗରେ ୦.୮ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ଏବଂ ୧୨ ହଜାର କୋଟି ଟଙ୍କା ବ୍ୟୟରେ ୦.୧ MTPA କ୍ଷମତା ବିଶିଷ୍ଟ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ ସ୍ଥାପନ କରାଯିବ। ଏହି ଦୁଇ ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୪,୨୦୦ ଜଣଙ୍କୁ ନୂଆ ନିଯୁକ୍ତି ମିଳିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ଏପର୍ଯ୍ୟନ୍ତ ୧୨ଟି ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ମିଳିସାରିଛି। ଏହା ମାଧ୍ୟମରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଆସିବା ସହ ୩୬ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ବିକଶିତ ହେଉଥିବା ସବୁଜ ଶିଳ୍ପ କରିଡର ଭବିଷ୍ୟତରେ ଓଡ଼ିଶାକୁ ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ ଓ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

