ତାମିଲନାଡୁରେ ଡିଏମକେକୁ ଝଟକା, ବିଜୟଙ୍କ ବିରୋଧରେ ମନ୍ତବ୍ୟ ଦେଇ ବିଧାୟକ ଗିରଫ
ତାମିଲନାଡୁରେ ଡିଏମକେ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଟିଭିକେ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଡିଏମକେ ବିଧାୟକ ଅନିତା ଆର୍. ରାଧାକୃଷ୍ଣନଙ୍କୁ ତାମିଲନାଡୁ ପୁଲିସ ଗିରଫ କରିଛି। ଏହାପୂର୍ବରୁ ମାଡ୍ରାସ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ।
ଅଭିଯୋଗ ଅନୁସାରେ, ଜୁନ୍ ୨୦ରେ ଅଥୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ରାଧାକୃଷ୍ଣନ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗିରଫ ଆଶଙ୍କାରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ, କିନ୍ତୁ କୋର୍ଟ ତାଙ୍କ ଆବେଦନ ଖାରଜ କରିବା ପରେ ପୁଲିସ ତାଙ୍କୁ ସରକାରୀ କାର୍ଯ୍ୟାଳୟରୁ ଗିରଫ କରିଥିଲା। ଗିରଫ ବେଳେ ଡିଏମକେ କର୍ମୀମାନେ ପୁଲିସକୁ ବିରୋଧ କରିବା ସହ ସ୍ଲୋଗାନ ଦେଇଥିଲେ। ପରେ ରାଧାକୃଷ୍ଣନଙ୍କୁ ଅଥୁର ଥାନାରେ ଅଟକ ରଖାଯାଇଥିଲା।
ଏହାପୂର୍ବରୁ ଟିଭିକେ ସରକାରକୁ ଭାଙ୍ଗିବା ପାଇଁ ବିଧାୟକ କିଣାବିକା ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା। ଟିଭିକେ ବିଧାୟକ ଏନ୍. ଇଲିୟାରାଜା ଅଭିଯୋଗ କରିଥିଲେ ଯେ, ବାଚସ୍ପତିଙ୍କ ବିରୋଧରେ ଭୋଟ ଦେବା ବଦଳରେ ତାଙ୍କୁ ୩୫ କୋଟି ଟଙ୍କା ଲାଞ୍ଚ ପ୍ରସ୍ତାବ ଦିଆଯାଇଥିଲା। ଏହି ଘଟଣାର ତଦନ୍ତ ପରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଷଡ଼ଯନ୍ତ୍ରରେ ଡିଏମକେର ସମ୍ପୃକ୍ତି ଥିବା ଅଭିଯୋଗ ମଧ୍ୟ ଉଠିଛି। ଫଳରେ ଦୁଇ ଦିନ ମଧ୍ୟରେ ଦୁଇଟି ବଡ଼ ଘଟଣା ଡିଏମକେକୁ ଏବେ ଅଡୁଆରେ ପକାଇଛି ।

