ବେଲୁଚିସ୍ତାନରେ ଭୟଙ୍କର ବିସ୍ଫୋରଣ, ପାକିସ୍ତାନୀ ସୁରକ୍ଷା ଶିବିର ଧ୍ୱଂସ କରିଥିବା ନେଇ BLAର ଦାବି
ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ଗ୍ୱାଦର ଅଞ୍ଚଳରେ ବିଚ୍ଛିନ୍ନତାବାଦୀ ସଶସ୍ତ୍ର ସଂଗଠନ ବେଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ପକ୍ଷରୁ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ କରାଯାଇଥିବା ଦାବି କରାଯାଇଛି। ସଂଗଠନର କହିବା ଅନୁସାରେ, ଏହି ଆକ୍ରମଣରେ ୩୦ରୁ ଅଧିକ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀର ଯବାନ ନିହତ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତେବେ ପାକିସ୍ତାନ ସରକାର ପକ୍ଷରୁ ଏହି ଦାବିର ସ୍ୱାଧୀନ ପୁଷ୍ଟି କରାଯାଇନାହିଁ।
ବିଏଲଏର ବିବୃତି ଅନୁସାରେ, ଗ୍ୱାଦରର ଜିୱାନି ସ୍ଥିତ ପାନୱାନ ତଟରକ୍ଷୀ ଶିବିରକୁ ଟାର୍ଗେଟ କରି ବିସ୍ଫୋରକ ଭର୍ତ୍ତି ଏକ ଟ୍ରକ୍ ଶିବିର ଭିତରକୁ ପ୍ରବେଶ କରାଯାଇ ବିସ୍ଫୋରଣ କରାଯାଇଥିଲା। ସଂଗଠନର ମୁଖପାତ୍ର ଜିଆନ୍ଦ ବାଲୁଚ୍ କହିଛନ୍ତି ଯେ, ଆତାଉଲ୍ଲା ବାଲୁଚ୍ ଓରଫ ଅଜମଲ ନାମକ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଏହି ଅଭିଯାନକୁ ସଫଳ କରିଥିଲେ। ବିସ୍ଫୋରଣରେ ଶିବିରର ବଡ଼ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଏବଂ ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ବିଏଲଏ ଦାବି କରିଛି।
ଏହି ଆକ୍ରମଣ ପରେ ବିଏଲଏର ମିଡିଆ ୱିଙ୍ଗ ହକ୍କାଲ ପକ୍ଷରୁ ଦୁଇଟି ଭିଡିଓ ମଧ୍ୟ ପ୍ରକାଶ କରାଯାଇଛି। ଭିଡିଓରେ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଶିବିର ଭିତରକୁ ପ୍ରବେଶ କରିବା ଓ ପରେ ଏକ ଭୟଙ୍କର ବିସ୍ଫୋରଣ ଘଟୁଥିବା ଦୃଶ୍ୟ ଦେଖାଯାଇଛି। ଅନ୍ୟ ଏକ ଭିଡିଓରେ ଶିବିରର ବଡ଼ ଅଂଶ ଧ୍ୱଂସ ହୋଇଥିବା ଦେଖାଯାଇଛି। ତେବେ ଏହି ଭିଡିଓଗୁଡ଼ିକର ପ୍ରକୃତ ସତ୍ୟତା ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ।

