୨ କୋଟି ଟଙ୍କାର ପଖାଳ ବିଲ୍କୁ ନେଇ ଚର୍ଚ୍ଚା; ସରକାରଙ୍କ ସଫେଇ- ବିଶ୍ୱସ୍ତରରେ ପଖାଳକୁ ପହଞ୍ଚାଇବା ଉଦ୍ଦେଶ୍ୟ
ପଖାଳ ଦିବସ ପାଳନ ପାଇଁ ପ୍ରାୟ ଦେଢ଼ରୁ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବିଲ୍ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚଳିତ ବର୍ଷ ମାର୍ଚ୍ଚ ୨୦ରେ ପାଳିତ ପଖାଳ ଦିବସ ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ପର୍ଯ୍ୟଟନ ବିଭାଗକୁ ଦିଆଯାଇଥିବା ବିଲ୍ରେ ଏହି ଖର୍ଚ୍ଚର ଉଲ୍ଲେଖ ରହିଛି। ବିଲ୍ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ସରକାରଙ୍କୁ କଟାକ୍ଷ କରିଛନ୍ତି।
ଏହି ବିବାଦ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କ ପକ୍ଷରୁ ସଫେଇ ରଖିଛନ୍ତି। ସେ କହିଛନ୍ତି, ପଖାଳ ସହ ଓଡ଼ିଆ ଖାଦ୍ୟର ପରିଚୟକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ଫାଇଭ୍ ଷ୍ଟାର୍ ହୋଟେଲର ମେନୁରେ ସ୍ଥାନ ଦେବା ଲକ୍ଷ୍ୟରେ ଏହି ଆୟୋଜନ କରାଯାଇଥିଲା। ଏହାସହ ପଖାଳ ପର୍ବକୁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ଦେବା ପାଇଁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ସେ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ପଖାଳକୁ ସାଧାରଣତଃ ଗରିବଙ୍କ ଖାଦ୍ୟ ବୋଲି ଧରାଯାଏ। କିନ୍ତୁ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ବୃହତ୍ ଆୟୋଜନ ଆବଶ୍ୟକ। ଓଡ଼ିଆ ଖାଦ୍ୟର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଓ ଏହାକୁ ଆନ୍ତର୍ଜାତିକ ସ୍ତରରେ ଲୋକପ୍ରିୟ କରିବା ସରକାରଙ୍କ ଉଦ୍ଦେଶ୍ୟ ବୋଲି ସେ ସ୍ପଷ୍ଟ କରିଛନ୍ତି।

