ସ୍ୱାମୀକୁ ହତ୍ୟା ପରେ ବାଥ୍ରୁମ୍ରେ ପୋତିଦେଲା ସ୍ତ୍ରୀ, ୪୫ ଦିନ ପରେ ମିଳିଲା ଗଳିତ ଶବ
ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଦେଢ଼ ମାସ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ତାଙ୍କ ନିଜ ଘରର ବାଥ୍ରୁମ୍ ଚଟାଣ ତଳୁ ଉଦ୍ଧାର କରିଛି ପୁଲିସ। ମୃତକ ହେଲେ ୪୪ ବର୍ଷୀୟ ସୁରେନ୍ଦ୍ର ଶର୍ମା। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପତ୍ନୀ ରୁବି ଶର୍ମା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ସାରିବା ପରେ ବାଥ୍ରୁମ୍ରେ ଗାତ ଖୋଳି ଶବକୁ ପୋତି ଦେଇଥିଲେ ଏବଂ ପ୍ରମାଣ ନଷ୍ଟ କରିବା ପାଇଁ ସେହି ସ୍ଥାନରେ ସିମେଣ୍ଟ ପକାଇ ଢ଼ଳେଇ ତିଆରି କରିଥିଲେ |
ସୁରେନ୍ଦ୍ର ଶର୍ମା ଗତ ମେ’ ୧୮ ତାରିଖରୁ ନିଖୋଜ ଥିଲେ। ପରିବାର ପକ୍ଷରୁ ନିଖୋଜ ଅଭିଯୋଗ ଦାଖଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପତ୍ନୀଙ୍କ ବୟାନରେ ଅସଙ୍ଗତି ଦେଖାଯିବା ସହ ବାଥ୍ରୁମ୍ରେ ନୂଆ ଚଟାଣ ପଡ଼ିଥିବା ଦେଖି ପୁଲିସର ସନ୍ଦେହ ବଢ଼ିଥିଲା। ଚଟାଣ ଭାଙ୍ଗିବା ପରେ ତଳୁ ସୁରେନ୍ଦ୍ରଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା। ପୁଲିସ ଦାବି କରିଛି ଯେ, ପଚରାଉଚରା ବେଳେ ଅଭିଯୁକ୍ତ ପତ୍ନୀ ହତ୍ୟାକାଣ୍ଡ ସମ୍ପର୍କରେ ସ୍ୱୀକାରୋକ୍ତି ଦେଇଛନ୍ତି।
ପଡ଼ୋଶୀଙ୍କ କହିବା ଅନୁସାରେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ପାରିବାରିକ କଳହ ଓ ଝଗଡ଼ା ଲାଗି ରହୁଥିଲା। ବର୍ତ୍ତମାନ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ଘଟଣାର ସମସ୍ତ ଦିଗରେ ତଦନ୍ତ ଜାରି ରଖିଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାବେଳେ, ଫରେନ୍ସିକ୍ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ହତ୍ୟାର ପ୍ରକୃତ କାରଣ ଜାଣିବାକୁ ପୁଲିସ ତଦନ୍ତ ଆଗକୁ ଚଳାଇଛି।

