Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ଚିକେନ୍ ନେକ୍’ ଉପରେ ଚୀନର ନଜର! ବାଂଲାଦେଶର ନୂଆ ପ୍ରକଳ୍ପକୁ ନେଇ ସତର୍କ ହେଲା ଭାରତ

ବାଂଲାଦେଶରେ ଚୀନର ବଢ଼ୁଥିବା ପ୍ରଭାବକୁ ନେଇ ଭାରତ ଅଧିକ ସତର୍କ ହୋଇପଡ଼ିଛି। ବିଶେଷକରି ବାଂଲାଦେଶର ‘ତିସ୍ତା ନଦୀ ସମନ୍ୱିତ ପରିଚାଳନା ଓ ପୁନରୁଦ୍ଧାର ପ୍ରକଳ୍ପ’ ଏବଂ ”ଚୀନ -ବାଂଲାଦେଶ-ମିଆଁମାର କରିଡରରେ ଚୀନର ସକ୍ରିୟ ଭୂମିକା ଭାରତର ଚିନ୍ତା ବଢ଼ାଇଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ପଡ଼ୋଶୀ ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ ଭାରତର କଡ଼ା ନଜର ରହିଛି ଏବଂ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନିଆଯିବ।

ନିକଟରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଚୀନ ଗସ୍ତ ସମୟରେ ତିସ୍ତା ପ୍ରକଳ୍ପ ପାଇଁ ଉଭୟ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ସେହିପରି CBMEC କରିଡରକୁ ମଧ୍ୟ ଆଗକୁ ବଢ଼ାଇବାକୁ ଚୀନ ଆଗ୍ରହ ପ୍ରକାଶ କରିଛି। ଏନେଇ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, ଭାରତ ନିଜର ସୁରକ୍ଷା ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ସଚେତନ ରହିଛି ଏବଂ ତିସ୍ତା ପ୍ରକଳ୍ପ ସମ୍ପର୍କରେ ବାଂଲାଦେଶ ନିକଟରେ ପୂର୍ବରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି।

ବିଶେଷଜ୍ଞଙ୍କ ମତରେ, ତିସ୍ତା ପ୍ରକଳ୍ପ ଭାରତର ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ‘ଚିକେନ୍ ନେକ୍’ ଅଞ୍ଚଳ ନିକଟରେ ଥିବାରୁ ଏହା ସୁରକ୍ଷା ଚିନ୍ତା ବଢ଼ାଇଛି। ଏହି ସଂକୀର୍ଣ୍ଣ ଭୂଭାଗ ପୂର୍ବୋତ୍ତର ଭାରତକୁ ଦେଶର ଅନ୍ୟ ଅଂଶ ସହ ଯୋଡ଼ି ରଖିଛି। ସେହିପରି CBMEC ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଚୀନ ବଙ୍ଗୋପସାଗର ପର୍ଯ୍ୟନ୍ତ ସିଧାସଳଖ ପହଞ୍ଚ ପାଇପାରିବ, ଯାହା ଭାରତର ସାମରିକ ଓ ସାମୁଦ୍ରିକ ସୁରକ୍ଷା ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ