ଖାମେନେଇଙ୍କ ଅନ୍ତିମ ସଂସ୍କାରକୁ ନେଇ ଟ୍ରମ୍ପଙ୍କ କଟାକ୍ଷ
ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଥିବା ବେଳେ, ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଇରାନକୁ ଟାର୍ଗେଟ୍ କରି ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଉଦାର ମନୋଭାବ ଦେଖାଇ ଇରାନକୁ ଅନ୍ତିମ ସଂସ୍କାର ପାଇଁ ଏକ ସପ୍ତାହ ସମୟ ଦେଇଛି। ତାଙ୍କ ଏହି ମନ୍ତବ୍ୟକୁ ନେଇ ଆନ୍ତର୍ଜାତିକ ସ୍ତରରେ ପୁଣିଥରେ ବିବାଦ ଦେଖାଦେଇଛି।
ଆମେରିକାର ୨୫୦ତମ ସ୍ୱାଧୀନତା ଦିବସ ଅବସରରେ ଦକ୍ଷିଣ ଡାକୋଟାର ମାଉଣ୍ଟ ରସମୋରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଟ୍ରମ୍ପ କହିଥିଲେ, “ଆମେ ଇରାନକୁ ସମ୍ପୂର୍ଣ୍ଣ ଭାବେ ଚକିତ କରିଦେଇଛୁ। ଏବେ ସେମାନେ ଏକ ଚୁକ୍ତି ପାଇଁ ବ୍ୟାକୁଳ ଅଛନ୍ତି। ଆମେ ଭଲ ସ୍ୱଭାବର ହୋଇଥିବାରୁ ସେମାନଙ୍କୁ ଅନ୍ତିମ ସଂସ୍କାର ପାଇଁ ଗୋଟିଏ ସପ୍ତାହ ସମୟ ଦେଇଛୁ।” ଇରାନରେ ଖାମେନେଇଙ୍କ ପାଇଁ ସପ୍ତାହବ୍ୟାପୀ ରାଷ୍ଟ୍ରୀୟ ଶୋକ ଏବଂ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଟ୍ରମ୍ପଙ୍କ ଏହି ବିବୃତି ସାମ୍ନାକୁ ଆସିଛି।
ଇରାନ ସରକାରଙ୍କ ଦାବି ଅନୁସାରେ, ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲର ମିଳିତ ବିମାନ ଆକ୍ରମଣରେ ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ପ୍ରାଣ ହରାଇଥିଲେ। ଇସଲାମୀୟ ପରମ୍ପରା ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଦଫନ କରାଯିବାର ନିୟମ ଥିଲେ ମଧ୍ୟ, ଯୁଦ୍ଧ ପରିସ୍ଥିତି ଓ ସୁରକ୍ଷା ଚିନ୍ତା ଯୋଗୁଁ ଅନ୍ତିମ ସଂସ୍କାରକୁ ସ୍ଥଗିତ ରଖାଯାଇଥିଲା। ପରେ ଅସ୍ତ୍ରବିରତି ଲାଗୁ ହେବା ପରେ ଇରାନ କର୍ତ୍ତୃପକ୍ଷ ଅନ୍ତିମ ସଂସ୍କାରର ତାରିଖ ଘୋଷଣା କରିଥିଲେ।

