ମୁମ୍ବାଇରେ ବଡ ଅଘଟଣ; ଭୁଶୁଡ଼ିଲା ୩ ମହଲା କୋଠା, ୬ ମୃତ, ଉଦ୍ଧାର କାର୍ଯ୍ୟ ଜାରି
ମୁମ୍ବାଇରେ ଲଗାଣ ବର୍ଷା ମଧ୍ୟରେ ଏକ ବଡ଼ ଅଘଟଣ ଘଟିଛି। ସହରର ଜନ୍ତାନଗର ଅଞ୍ଚଳରେ ଥିବା ଏକ ଗ୍ରାଉଣ୍ଡ୍ ପ୍ଲସ୍ ତିନି ମହଲା କୋଠାର କିଛି ଅଂଶ ହଠାତ୍ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଥିବା ସୂଚନା ମିଳିଛି। ଏଥିରେ ଜଣେ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି | ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଜନ୍ତାନଗର ହନୁମାନ ମନ୍ଦିର ପଛପଟେ ଥିବା ଏହି କୋଠା ଭୁଶୁଡ଼ି ପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପ୍ରାଥମିକ ତଥ୍ୟ ଅନୁଯାୟୀ, କୋଠାଟି ପୁରୁଣା ଓ ଦୁର୍ବଳ ଅବସ୍ଥାରେ ଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଧ୍ୱଂସାବଶେଷ ତଳେ ଆହୁରି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।
ଘଟଣା ପରେ ଏନଡିଆରଏଫ ଓ ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବାଧା ସୃଷ୍ଟି ହେଉଛି। ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ରାତିଦିନ ଅପରେସନ ଜାରି ରହିଛି।

