କରଜତ-ଲୋଣାଭାଲା ଘାଟ ସେକ୍ସନରେ ଭୂସ୍ଖଳନ, ମୁମ୍ବାଇ-ପୁଣେ ଟ୍ରେନ୍ ସେବା ବାତିଲ
ପ୍ରବଳ ବର୍ଷା ଯୋଗୁଁ ଟ୍ରେନ ସେବା ବାତିଲ | ଯାତ୍ରୀ ହନ୍ତସନ୍ତ | ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ-ପୁଣେ ରେଳପଥର କରଜତ-ଲୋଣାଭାଲା ଭୋର ଘାଟ ସେକ୍ସନରେ ଭୂସ୍ଖଳନ ଘଟିବାରୁ ଆଜି ସକାଳଠାରୁ ଏହି ରେଳ ରୁଟରେ ଟ୍ରେନ୍ ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ଥାକୁରୱାଡ଼ି ନିକଟରେ ପ୍ରଥମେ ଭୂସ୍ଖଳନ ଘଟିଥିବାବେଳେ, ପରେ ଖଣ୍ଡାଲା ଓ ମଙ୍କି ହିଲ୍ ମଧ୍ୟବର୍ତ୍ତୀ ମିଡିଲ୍ ଲାଇନରେ ଆଉ ଏକ ଭୂସ୍ଖଳନ ହୋଇଥିଲା। ଏହା ଫଳରେ ତିନୋଟି ରେଳ ଲାଇନ୍ ପ୍ରଭାବିତ ହୋଇଛି।
ଭୂସ୍ଖଳନ ପରେ କେନ୍ଦ୍ରୀୟ ରେଳବାଇ ଅନେକ ଟ୍ରେନ୍ ବାତିଲ୍, ରୁଟ୍ ପରିବର୍ତ୍ତନ ଓ ସମୟସୂଚୀରେ ପରିବର୍ତ୍ତନ କରିଛି। ବାତିଲ୍ ହୋଇଥିବା ଟ୍ରେନ୍ ମଧ୍ୟରେ CSMT–ପୁଣେ ଇନ୍ଦ୍ରାୟଣୀ ଏକ୍ସପ୍ରେସ୍, ଇଣ୍ଟରସିଟି ଏକ୍ସପ୍ରେସ୍, ଡେକାନ୍ ଏକ୍ସପ୍ରେସ୍, ଡେକାନ୍ କୁଇନ୍, ପ୍ରଗତି ଏକ୍ସପ୍ରେସ୍ ଓ ଧୁଳେ ଏକ୍ସପ୍ରେସ୍ ରହିଛି। ଏହାଛଡ଼ା ପୁଣେ–CSMT ସିଂହଗଡ଼ ଏକ୍ସପ୍ରେସ୍ ସମେତ ଅନ୍ୟ କେତେକ ସେବାକୁ ମଧ୍ୟ ବାତିଲ୍ କରାଯାଇଛି। ଦୂରଗାମୀ ଅନେକ ଟ୍ରେନ୍କୁ ଅନ୍ୟ ରୁଟ୍ରେ ଚଳାଚଳ କରାଯାଉଥିବାବେଳେ କିଛି ଟ୍ରେନ୍କୁ ଗନ୍ତବ୍ୟ ପୂର୍ବରୁ ବନ୍ଦ କିମ୍ବା ସେଠାରୁ ଯାତ୍ରା ଆରମ୍ଭ କରାଯାଇଛି।
ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଭୂସ୍ଖଳନ ହୋଇଥିବା ସ୍ଥାନରେ ଜୋରସୋରରେ ମରାମତି ଓ ପୁନରୁଦ୍ଧାର କାମ ଚାଲିଛି। ଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ଟ୍ରେନ୍ର ସଦ୍ୟତମ ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ସହାୟତା ପାଇଁ କେନ୍ଦ୍ରୀୟ ରେଳବାଇ CSMT, ଠାଣେ, ଲୋଣାଭାଲା ଓ ଦାଦର ଷ୍ଟେସନରେ ହେଲ୍ପଲାଇନ୍ ବ୍ୟବସ୍ଥା କରିଛି, ଯାହା ମାଧ୍ୟମରେ ଯାତ୍ରୀମାନେ ରିଅଲ୍-ଟାଇମ୍ ସୂଚନା ପାଇପାରିବେ।

