ଇନଷ୍ଟାଗ୍ରାମରେ ଶିଶୁ ଯୌନ ଶୋଷଣ ବିଜ୍ଞାପନ ହଟାଇବାକୁ, ମେଟାକୁ କେନ୍ଦ୍ର ସରକାରଙ୍କ ନୋଟିସ
ଇନଷ୍ଟାଗ୍ରାମରେ ଶିଶୁ ଯୌନ ଶୋଷଣ ଓ ଅପବ୍ୟବହାର ସମ୍ପର୍କିତ ବିଜ୍ଞାପନ (CSEAM) ପ୍ରସାରିତ ହେଉଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ମେଟାକୁ ନୋଟିସ ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (ମେୟିତ୍ୱ)ପକ୍ଷରୁ ମେଟାକୁ ୭ ଦିନ ମଧ୍ୟରେ ଏନେଇ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଛି। ଏହା ସହ ଇନଷ୍ଟାଗ୍ରାମରୁ ଶିଶୁ ଯୌନ ଶୋଷଣକୁ ପ୍ରୋତ୍ସାହିତ କରୁଥିବା ସମସ୍ତ ବିଜ୍ଞାପନ ଓ କଣ୍ଟେଣ୍ଟକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ ଅନୁସାରେ, ଭାରତରେ ଇନଷ୍ଟାଗ୍ରାମରେ ଏଭଳି ବିଜ୍ଞାପନ ଦେଖାଯାଉଥିଲା, ଯେଉଁଥିରେ ବ୍ୟବହାରକାରୀଙ୍କୁ ଟେଲିଗ୍ରାମ ଭଳି ପ୍ଲାଟଫର୍ମକୁ ନେଇ ଅବୈଧ ସାମଗ୍ରୀ ବିକ୍ରି କରାଯାଉଥିବା ଅଭିଯୋଗ ରହିଛି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ସରକାର ମେଟାର ପ୍ରତିନିଧିଙ୍କୁ ଜେରା କରିଥିବା ସୂଚନା ମିଳିଛି। ଏହାପୂର୍ବରୁ ମଧ୍ୟ ହ୍ୱାଟସଆପ୍ର ୟୁଜରନେମ୍ ଫିଚରକୁ ନେଇ ମେଟାକୁ ନୋଟିସ ଜାରି କରାଯାଇଥିଲା।
ଅନ୍ୟପଟେ, ମେଟା ପକ୍ଷରୁ କୁହାଯାଇଛି ଯେ, ଶିଶୁ ଯୌନ ଶୋଷଣ ସମ୍ପର୍କିତ ବିଷୟବସ୍ତୁ ପ୍ରତି କମ୍ପାନୀର ‘ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଜାରି ରହିଛି। ଏପରି କଣ୍ଟେଣ୍ଟକୁ ଚିହ୍ନଟ ଓ ହଟାଇବା ପାଇଁ ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତି, ସୁରକ୍ଷା ଟିମ୍ ଓ ସହଯୋଗୀ ସଂସ୍ଥାମାନଙ୍କ ସହାୟତାରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଚାଲିଥିବା ବୋଲି କମ୍ପାନୀ ଦାବି କରିଛି।

