NATO ସମିଟ୍ ପୂର୍ବରୁ କିଭ୍ରେ ରୁଷର ଭୟଙ୍କର ଆକ୍ରମଣ, ୮ ମୃତ
ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଗଲ୍ଫ ଅଞ୍ଚଳରେ ପରିସ୍ଥିତି ସ୍ୱାଭାବିକ ହୋଇଥିବାବେଳେ ରୁଷ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ଧରୁନି । NATO ସମିଟ୍ ପୂର୍ବରୁ ରୁଷ ସେନା ୟୁକ୍ରେନର ରାଜଧାନୀ କିଭ୍ ଉପରେ ବାଲିଷ୍ଟିକ ମିଶାଇଲ ଓ ଡ୍ରୋନ୍ ମାଡ଼ କରିଛି। ଏହି ଆକ୍ରମଣରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆକ୍ରମଣ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବଡ଼ ଧରଣର ଆକ୍ରମଣ ନେଇ ଚେତାବନୀ ଦେଇଥିଲେ। ଏହି ଚେତାବନୀ ପରେ ହିଁ ରୁଷ ସେନା ପକ୍ଷରୁ ଏହି ଭୟାନକ ଆକ୍ରମଣ କରାଯାଇଛି |
କିଭ୍ ମେୟର ଭିଟାଲୀ କ୍ଲିଟ୍ସକୋଙ୍କ କହିବା ଅନୁସାରେ, କ୍ଷତିଗ୍ରସ୍ତ ଆବାସିକ ଭବନଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କିଭ୍ ସହରରେ ୭ ଜଣ ଓ ବୁଚା ଜିଲ୍ଲାରେ ଜଣେ ପ୍ରାଣ ହରାଇଛନ୍ତି। ରୁଷର ବାଲିଷ୍ଟିକ ମିଶାଇଲ ଓ ଡ୍ରୋନ୍ ସାଧାରଣ ଲୋକଙ୍କ ରହୁଥିବା ଆପାର୍ଟମେଣ୍ଟ ଏବଂ ବହୁତଳ କୋଠାକୁ ଟାର୍ଗେଟ୍ କରିଥିବା ୟୁକ୍ରେନ କର୍ତ୍ତୃପକ୍ଷ କହିଛନ୍ତି। ବୋମାମାଡ଼ ପରେ ଭୟଭୀତ ଲୋକମାନେ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିବା ବେଳେ ସହରର ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ରହିଛି।
ସୂଚନାଯୋଗ୍ୟ, ମଙ୍ଗଳବାରଠାରୁ NATO ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି। ଏପରି ସ୍ଥିତିରେ ଜେଲେନସ୍କି ପୁଣିଥରେ ପାଶ୍ଚାତ୍ୟ ଦେଶମାନଙ୍କୁ ୟୁକ୍ରେନ ପାଇଁ ଅଧିକ ପାଟ୍ରିଅଟ୍ ମିଶାଇଲ ଓ ଏୟାର ଡିଫେନ୍ସ ସହାୟତା ଯୋଗାଇବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକୀୟ ପ୍ରତିରକ୍ଷା ସାମଗ୍ରୀର ଅଭାବ ଯୋଗୁଁ ରୁଷର ଏପରି ସାହସ ବଢ଼ୁଛି ଏବଂ ସେ ଏହି ୪ ବର୍ଷରୁ ଅଧିକ ପୁରୁଣା ଯୁଦ୍ଧକୁ ଆହୁରି ଦୀର୍ଘ ସମୟ ପର୍ଯ୍ୟନ୍ତ ଟାଣିବାକୁ ଚେଷ୍ଟା କରୁଛି ।

