ଭାଙ୍ଗିଲା କୋଟି କୋଟି ଫୁଟବଲ ପ୍ରେମୀଙ୍କ ହୃଦୟ; ବିଶ୍ୱକପ୍ ବିଦାୟ ପରେ ଅବସର ଘୋଷଣା କଲେ ନେମାର
ବ୍ରାଜିଲର ଫୁଟବଲ ଖେଳାଳି ନେମାର ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି। ଫିଫା ବିଶ୍ୱକପ୍ ୨୦୨୬ରେ ବ୍ରାଜିଲ ରାଉଣ୍ଡ ଅଫ୍-୧୬ରେ ନରୱେଠାରୁ ୨-୧ ଗୋଲରେ ପରାସ୍ତ ହୋଇ ବିଦାୟ ନେବା ପରେ ସେ ଏହି ଘୋଷଣା କରିଛନ୍ତି। ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ନେମାର ବ୍ରାଜିଲ ପାଇଁ ଗୋଟିଏ ଗୋଲ କରିଥିଲେ, କିନ୍ତୁ ଦଳକୁ ପରାଜୟରୁ ବଞ୍ଚାଇ ପାରିନଥିଲେ।
ମ୍ୟାଚ୍ ଶେଷ ପରେ ଭାବପ୍ରବଣ ହୋଇ ନେମାର କହିଥିଲେ, “ମୁଁ ବହୁତ ଚେଷ୍ଟା କରିଛି, କିନ୍ତୁ ସବୁକିଛି ଏଠାରେ ଶେଷ ହୋଇଗଲା। ମୁଁ କ୍ଳାନ୍ତ। ଯେଉଁ ମେଟଲାଇଫ୍ ଷ୍ଟାଡିୟମରୁ ମୋର ଅନ୍ତର୍ଜାତୀୟ ଯାତ୍ରା ଆରମ୍ଭ ହୋଇଥିଲା, ସେହି ସ୍ଥାନରେ ଆଜି ତାର ଶେଷ ହେଲା।” ତାଙ୍କ ଏହି ଘୋଷଣା ପରେ କୋଟି କୋଟି ପ୍ରଶଂସକ ଭାବବିହ୍ୱଳ ହୋଇପଡ଼ିଛନ୍ତି।
୨୦୧୦ ମସିହାରେ ବ୍ରାଜିଲ ସିନିୟର ଦଳରେ ଡେବ୍ୟୁ କରିଥିବା ନେମାର ୧୨୯ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୮୦ଟି ଗୋଲ ସ୍କୋର କରି ବ୍ରାଜିଲର ସର୍ବକାଳୀନ ସର୍ବାଧିକ ଗୋଲ ସ୍କୋରର ହୋଇଛନ୍ତି। ତାଙ୍କ ନେତୃତ୍ୱରେ ବ୍ରାଜିଲ ୨୦୧୩ ଫିଫା କନଫେଡେରେସନ୍ସ କପ୍ ଜିତିଥିବା ବେଳେ ୨୦୧୬ ରିଓ ଅଲିମ୍ପିକ୍ସରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା।

