ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଝଟକା
ତାମିଲନାଡୁର କରୁର ଦଳାଚକଟା ମାମଲାକୁ ନେଇ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଝଟକା ଲାଗିଛି। ଏହି ମାମଲାରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗ ସମ୍ପର୍କିତ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ସମ୍ମତି ଦେଇଛନ୍ତି। ବିରୋଧୀ ଦଳ ଡିଏମକେ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ରାଜ୍ୟ ସରକାରର କିଛି ମନ୍ତ୍ରୀ ଓ ଅଭିଯୁକ୍ତମାନେ ତଦନ୍ତକୁ ପ୍ରଭାବିତ କରିବା ସହ ସାକ୍ଷୀଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି।
ବିଚାରପତି ଆହସାନୁଦ୍ଦିନ ଅମାନୁଲ୍ଲାହ ଏବଂ ବିଚାରପତି ଶୀଳ ନାଗୁଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଡିଏମକେ ଆବେଦନରେ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଜୟ ଓ ଟିଭିକେ ନେତାମାନଙ୍କୁ ଏହି ମାମଲା ଉପରେ ସାର୍ବଜନୀନ ବୟାନ ଦେବାରୁ ବାରଣ କରିବାକୁ ମଧ୍ୟ ଦାବି କରାଯାଇଛି। କରୁର ଦଳାଚକଟା ମାମଲାର ତଦନ୍ତ ବର୍ତ୍ତମାନ ସିବିଆଇ କରୁଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୂର୍ବତନ ବିଚାରପତି ଜଷ୍ଟିସ ଅଜୟ ରସ୍ତୋଗୀଙ୍କ ନେତୃତ୍ୱରେ ଏକ ତିନିଜଣିଆ କମିଟି ମଧ୍ୟ ଗଠନ କରାଯାଇଛି।
ସୂଚନାଯୋଗ୍ୟ, ଗତ ୨୭ ସେପ୍ଟେମ୍ବର ୨୦୨୫ରେ କରୁରରେ ଟିଭିକେର ଏକ ବିଶାଳ ରାଲି ସମୟରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ଏବଂ ୧୪୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆଶାଠାରୁ ଅଧିକ ଭିଡ଼, ଅପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା, ବିଜୟଙ୍କ ବିଳମ୍ବିତ ଆଗମନ ଓ ବିଦ୍ୟୁତ ବିଭ୍ରାଟ ପରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ଏହି ଅଘଟଣର ପ୍ରମୁଖ କାରଣ ବୋଲି ତଦନ୍ତ ପରିସରକୁ ଆସିଛି।

