ଆଗାମୀ ୩ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
CREATOR: gd-jpeg v1.0 (using IJG JPEG v62), quality = 82
ରାଜ୍ୟରେ ବର୍ଷାର ପ୍ରଭାବ ଆହୁରି କିଛି ଦିନ ଜାରି ରହିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ଜିଲ୍ଲାରେ ରେକର୍ଡ ପରିମାଣର ବର୍ଷା ହୋଇଥିବା ବେଳେ ପରିସ୍ଥିତି ଉପରେ ପାଣିପାଗ ବିଭାଗ ନଜର ରଖିଛି।
ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, କନ୍ଧମାଳ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ହଳଦିଆ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି କେବଳ କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆକଳନ ଥିବାବେଳେ ୯ ତାରିଖରୁ ବର୍ଷାର ପ୍ରଭାବ କମିବ ଏବଂ ରାଜ୍ୟର କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇନାହିଁ।
ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫୮.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି, ଯାହା ସାଧାରଣଠାରୁ ୪୮୯ ପ୍ରତିଶତ ଅଧିକ ରହିଛି। ପାଣିପାଗ ବିଭାଗ ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବାଧିକ ୩୨୫.୪ ମିଲିମିଟର ବର୍ଷା ହୋଇଥିବାବେଳେ ଉଲୁଣ୍ଡାରେ ୨୯୦ ମିଲିମିଟର, ବଲାଙ୍ଗୀରର ବେଲଗାଁରେ ୨୭୯ ମିଲିମିଟର, କେନ୍ଦୁଝରର ତେଲକୋଇରେ ୨୭୬.୬ ମିଲିମିଟର, ବୌଦ୍ଧର ଖଇରମାଳରେ ୨୫୮ ମିଲିମିଟର ଏବଂ ସମ୍ବଲପୁରର ବୁର୍ଲାରେ ୨୫୬.୪ ମିଲିମିଟର ବର୍ଷା ହୋଇଛି। ମୋଟ ୧୨ଟି ପାଣିପାଗ କେନ୍ଦ୍ରରେ ଅତି ପ୍ରବଳ, ୨୪ଟିରେ ପ୍ରବଳ ଓ ୩୭ଟିରେ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଆଗାମୀ ସାତ ଦିନ ପର୍ଯ୍ୟନ୍ତ ମେଘୁଆ ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

