ରାଜଧାନୀରେ ପୁଣି ଖଣ୍ଡା ଆତଙ୍କ! ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୋକାନୀ ଓ ମହିଳା ଗୁରୁତର ଆହତ
ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଖଣ୍ଡାରେ ଆକ୍ରମଣରେ ଜଣେ ପାନ ଦୋକାନୀଙ୍କୁ ଗୁରୁତର ଆହତ ହୋଇଛନ୍ତି । ଆହତ ଦୋକାନୀ ଜଣକ ହେଲେ ଉଦୟ କିରଣ। ସେ ନିଜ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ତାଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଜଣେ ମହିଳା ମଧ୍ୟ ଖଣ୍ଡା ଆକ୍ରମଣରେ ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, ରାମୁଲୁ ନାମକ ଜଣେ ଯୁବକ ତାଙ୍କ କିଛି ସହଯୋଗୀଙ୍କ ସହ ମିଶି ଏହି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଖଣ୍ଡା ଚୋଟରେ ଉଦୟଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ସେହିପରି ମହିଳାଙ୍କ ମୁଣ୍ଡରେ ମଧ୍ୟ ଗୁରୁତର କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ଘଟଣା ବିଷୟରେ ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଅପରାଧସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ସହ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି। ଏହାସହ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଜଣାପଡିଛି | କିନ୍ତୁ ରାଜଧାନୀରେ ବାରମ୍ବାର ଏଭଳି ଘଟଣା ଘଟିବା ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ସୃଷ୍ଟି କରିଛି ବିରାଟ ପ୍ରଶ୍ନବାଚୀ |

