Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮୩ ବର୍ଷୀୟ ବୃଦ୍ଧଙ୍କ ଗଲ୍‌ବ୍ଲାଡର୍‌ରୁ ବାହାରିଲା ୨ ହଜାର ପଥର! ଦୀର୍ଘ ୬ ବର୍ଷ ଧରି ଯନ୍ତ୍ରଣାରେ ପୀଡିତ ଥିଲେ

ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ବିରଳ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି! ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କ ପିତ୍ତକୋଷ (ଗଲ୍‌ବ୍ଲାଡର୍‌)ରୁ ସଫଳ ଅସ୍ତ୍ରୋପଚାର ମାଧ୍ୟମରେ ପ୍ରାୟ ୨ ହଜାର ଛୋଟ ଛୋଟ ପଥର ବାହାର କରାଯାଇଛି। ଦୀର୍ଘ ୬ ବର୍ଷ ଧରି ପେଟ, ପିଠି ଓ ଛାତିରେ ଅସହ୍ୟ ଯନ୍ତ୍ରଣା ଭୋଗୁଥିବା ଏହି ବୃଦ୍ଧ ଶେଷରେ ସଫଳ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇଛନ୍ତି। ଯଶୋଦା ମେଡିସିଟି ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଦଳ ଏହି ଜଟିଳ ଅସ୍ତ୍ରୋପଚାର କରିଥିବା ବେଳେ, ଗଲ୍‌ବ୍ଲାଡର୍‌ରୁ ଏତେ ସଂଖ୍ୟକ ପଥର ବାହାରିବା ଅତ୍ୟନ୍ତ ବିରଳ ବୋଲି ଡାକ୍ତରମାନେ କହିଛନ୍ତି।

ଉତ୍ତର ପ୍ରଦେଶର ବୁଲନ୍ଦସହରର ବାସିନ୍ଦା ଏହି ବୃଦ୍ଧ ଜଣକ ପେଶାରେ ଜଣେ ଓକିଲ ଅଟନ୍ତି। ପ୍ରଥମେ ସେ ପେଟ ଯନ୍ତ୍ରଣାକୁ ସାଧାରଣ ଗ୍ୟାସ୍‌ କିମ୍ବା ପାଚନ ସମସ୍ୟା ଭାବି ଅଣଦେଖା କରୁଥିଲେ। କିନ୍ତୁ ଯନ୍ତ୍ରଣା ଅସହ୍ୟ ହେବା ପରେ ତାଙ୍କର ସ୍କାନିଂ କରାଯାଇଥିଲା। ରିପୋର୍ଟରେ ତାଙ୍କ ଗଲ୍‌ବ୍ଲାଡର୍‌ ରେ ଅସଂଖ୍ୟ ଛୋଟ ଛୋଟ ପଥର ରହିଥିବା ଜଣାପଡ଼ିଥିଲା। ଏହି ପଥରଗୁଡ଼ିକର ଆକାର ସୋରିଷ ଦାନାଠାରୁ ଆରମ୍ଭ କରି ବୁଟ ଆକୃତି ପର୍ଯ୍ୟନ୍ତ ଥିବାବେଳେ, ସମୁଦାୟ ଓଜନ ପ୍ରାୟ ୧୫୦ରୁ ୨୦୦ ଗ୍ରାମ ଥିଲା। ଏହି କାରଣରୁ ତାଙ୍କ ଶରୀରରେ ସଂକ୍ରମଣ ବଢ଼ିବା ସହ ତୀବ୍ର ଯନ୍ତ୍ରଣା ମଧ୍ୟ ହେଉଥିଲା।

ରୋଗୀଙ୍କ ବୟସ ଅଧିକ ଥିବାରୁ ଏହି ଅସ୍ତ୍ରୋପଚାର ଡାକ୍ତରମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ତଥାପି, ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଲାପାରୋସ୍କୋପିକ୍‌ ସର୍ଜରି ମାଧ୍ୟମରେ ଗଲ୍‌ବ୍ଲାଡର୍‌ ସହ ସମସ୍ତ ପଥରକୁ ସଫଳତାର ସହ ବାହାର କରାଯାଇଥିଲା। ବର୍ତ୍ତମାନ ବୃଦ୍ଧ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଡାକ୍ତରୀ ଦଳ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେପଟେ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯେ, ପେଟ କିମ୍ବା ପିଠିରେ ଦୀର୍ଘଦିନ ଧରି ଯନ୍ତ୍ରଣା ଅନୁଭବ ହେଲେ ତାହାକୁ ଅଣଦେଖା ନକରି ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories