ବର୍ଥଡେ ପାର୍ଟି ସାରି ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା; ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ
ଭୋପାଳ: ମଧ୍ୟପ୍ରଦେଶର ମୈହାର ଜିଲ୍ଲାରେ ଏକ ହୃଦୟବିଦାରକ ଘଟଣା ଆସିଛି | ଯେଉଁଠି ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ଜୀବନ ଚାଲିଯାଇଛି। ସୋମବାର ବିଳମ୍ବିତ ରାତିରେ ରିୱା ରୋଡ୍ସ୍ଥିତ ଜାତୀୟ ରାଜପଥ-୩୦ରେ ଏହି ଦୁର୍ଘଟଣା ଘଟିଥିଲା। ଜନ୍ମଦିନ ପାର୍ଟି ସାରି କାର୍ରେ ଘରକୁ ଫେରୁଥିବା ବେଳେ ସେମାନଙ୍କ ଗାଡ଼ି ଏକ ଟ୍ରକ୍ର ପଛପଟେ ଧକ୍କା ଦେଇଥିଲା।
ପୋଲିସ ସୂଚନା ଅନୁସାରେ, ନାଦାନ ଥାନା ଅଞ୍ଚଳର ରିଘ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା। ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ରେ ଫସିଥିବା ଯାତ୍ରୀମାନଙ୍କୁ ବାହାର କରିଥିଲେ। ଏଥିରେ ପଟେଲ ପରିବାରର ୫ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଅନ୍ୟ ଜଣଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ମଧ୍ୟ ପ୍ରାଣ ହରାଇଥିଲେ।
ପ୍ରାଥମିକ ତଦନ୍ତରୁ ଦ୍ରୁତ ଗତି କିମ୍ବା ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ବେଳେ ଫେରାର ଟ୍ରକ୍ ଚାଳକଙ୍କୁ ଧରିବା ପାଇଁ ପୋଲିସ ତଲାସି ଜୋରଦାର କରିଛି। ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି।

